କଲେଜ ଭିତ୍ତିଭୂମି ସଂପ୍ରସାରଣକୁ ସରକାରଙ୍କ ଅନୁମୋଦନ, ୨୧ ଶିକ୍ଷାନୁଷ୍ଠାନକୁ ୧୩.୨୫ କୋଟି ଅନୁଦାନ
ଜୟପୁର: ଅତିରିକ୍ତ ଶ୍ରେଣୀଗୃହ ଅଭାବରୁ ପାଠପଢ଼ାରେ ସମସ୍ୟା ଭୋଗୁଥିବା ଛାତ୍ରଛାତ୍ରୀଙ୍କ ଦୁଃଖ ଏଣିକି ଦୂର ହେବ। କୋରାପୁଟ ଜିଲ୍ଲାର କଲେଜ ଭିତ୍ତିଭୂମି ସଂପ୍ରସାରଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗ ଅନୁମୋଦନ କରିବା ପରେ ଏହି ଆଶା ଉଜ୍ବଳ ହୋଇଛି। ଜିଲ୍ଲାର ୨୧ ଶିକ୍ଷାନୁଷ୍ଠାନ ଲାଗି ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ସରକାର ୧୩ କୋଟି ୨୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ମହତ୍ତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ୍।
ଯୋଜନା ଓ ସମନ୍ବୟ ବିଭାଗ ବିଭାଗ ଚିଠି ନଂ-୩୭୯୯/୨୨.୦୨.୨୦୨୩ ରେ ମିଳିଥିବା ପ୍ରକଳ୍ପ ଅନୁମୋଦନ ତାଲିକାରେ ବୈପାରୀଗୁଡା, ବୋରିଗୁମ୍ମା, ଦଶମନ୍ତପୁର, କୋରାପୁଟ, ଲମତାପୁଟ, ନନ୍ଦପୁର, ନାରାୟଣପାଟଣା, ପଟାଙ୍ଗୀ ବ୍ଲକ ସହ କୋରାପୁଟ, ସୁନାବେଡା ପୌର ପରିଷଦ ଓ କୋଟପାଡ ଏନଏସିର ୨୧ଟି କଲେଜ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଅନୁମୋଦିତ ହୋଇଥିବା ଏହି ପାଣ୍ଠିକୁ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଏବଂ ଭିତ୍ତିଭୂମି ବିକାଶ ଦିଗରେ ତୁରନ୍ତ ଖର୍ଚ୍ଚ କରିବାକୁ ବିଭାଗ ସ୍ବତନ୍ତ୍ର ସଚିବ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ବୈପାରୀଗୁଡା ବ୍ଲକ ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ୪ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୫୦ ଲକ୍ଷ ଅନୁଦାନ ମିଳିଛି। ସେହିପରି ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, ବୋରିଗୁମ୍ମା ବ୍ଲକ ତରାଭଟ୍ଟା ନରସିଂହ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, ଭୈରବ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୭୫ ଲକ୍ଷ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୭୫ ଲକ୍ଷ, ଦଶମନ୍ତପୁର ରାଧାକୃଷ୍ଣ ଆଦିବାସୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, କୋରାପୁଟ ଡଃ. ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, କୋଟପାଡ କଲେଜ ପାଇଁ ୧ କୋଟି, କୁନ୍ଦୁରା ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପାଇଁ ୭୫ ଲକ୍ଷ, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୭୫ ଲକ୍ଷ, ଲମତାପୁଟ ଡଃ. ଆମ୍ବେଦକର ଜୁନିଅର କଲେଜ ପାଇଁ ୫୦ ଲକ୍ଷ, ନନ୍ଦପୁର ସିନ୍ଧେଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, ସିନ୍ଧେଦେବୀ ଡିଗ୍ରୀ କଲେଜ ପାଇଁ ୭୫ ଲକ୍ଷ, ଆରକେ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, ନାରାୟଣପାଟଣା ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ, ପଟାଙ୍ଗୀ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୭୫ ଲକ୍ଷ, ଗାଙ୍ଗେଶ୍ବରୀ ଡିଗ୍ରୀ କଲେଜ ପାଇଁ ୭୫ ଲକ୍ଷ, ସେମିଳିଗୁଡା କଲେଜ ପାଇଁ ୭୫ ଲକ୍ଷ, ସୁନାବେଡା ମହିଳା କଲେଜ ପାଇଁ ୭୫ ଲକ୍ଷ, ସୁନାବେଡା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର।