ଅବସାନ ହେଲେ ବି ଅବିସ୍ମରଣ ପ୍ରଫେସର ହରମୋହନ ପ୍ରଧାନ: ଜଣେ ଅବିସ୍ମରଣୀୟ ଶିକ୍ଷକ
ଅବସାନ ହେଲେ ବି ଅବିସ୍ମରଣ //
ପ୍ରଫେସର ହରମୋହନ ପ୍ରଧାନ: ଜଣେ ଅବିସ୍ମରଣୀୟ ଶିକ୍ଷକ
ଅଧୁନା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ 1983 ମସିହାରେ ଥିଲା ଓଡ଼ିଶାର ଅଗ୍ରଗଣ୍ୟ ଚାରୋଟି ଶ୍ରେଷ୍ଠ ମହାବିଦ୍ୟାଳୟଗୁଡ଼ିକ ଭିତରୁ ଅନ୍ୟତମ। ଯେଉଁମାନେ ତାହାର କିର୍ତ୍ତୀ ଓ ସଫଳତାର ପ୍ରମୁଖ ବିନ୍ଧାଣୀ ଥିଲେ ପ୍ରଫେସର ହରମୋହନ ପ୍ରଧାନ ଥିଲେ ସେମାନଙ୍କ ମଧ୍ଯରୁ ଅନ୍ୟତମ। ଓଡିଶାରେ ଯୁକ୍ତ ଦୁଇ ଶ୍ରେଣୀର ପ୍ରଥମ ବ୍ୟାଚ ଆମେ ଥିଲୁ।
ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ସିଧା କଲେଜରେ ପାଠ ପଢିବାର ସୁଯୋଗ ଥିଲା ଆମ ପିଢିର ଗୋଟେ ନିଆରା ଅନୁଭୂତି। କଳା ଧାରା ( stream)ରେ ନାମ ଲେଖାଇ ଥିବା ତମାମ 256ଜଣ ଛାତ୍ର ଛାତ୍ରୀଙ୍କ ର ତାହା ବୋଧେ ଥିଲା ପ୍ରଥମ କ୍ଲାସ। ଟାଇମ ଟେବୁଲ ରେ ପ୍ରଥମ କ୍ଲାସ ଥିଲା ରାଜନୀତି ବିଜ୍ଞାନ । ସେହିଦିନ ପ୍ରଥମ କରି ଦେଖା ଓ ପରିଚୟ ହୋଇଥିଲା ପ୍ରଫେସର ହରମୋହନ ପ୍ରଧାନ ଙ୍କ ସହ। ଧଳା ଫୁଲ ପ୍ୟାଣ୍ଟ ଓ ଫୁଲପକା ଛିଟ ସାର୍ଟ ପରିହିତ ସେହି ସାର ଜଣଙ୍କ ଠାରୁ ହୋଇଥିଲା ଆମ ଉଚ୍ଚଶିକ୍ଷାର ଅୟମାରମ୍ଭ। ଭାରତୀୟ ଶାସନ ଓ ରାଜନୀତି ପତ୍ର ଉପରେ ସେ ନେଇଥିବା ସେହି ପ୍ରଥମ କ୍ଲାସ ର ପୁଲକ ଓ ଅନୁଭୂତି ଆଜିଯାଏ ବି ସତେଜ ରହିଛି।
ତାଙ୍କ ସରଳ ଓ ବୋଧଗମ୍ୟ ଇଂରାଜୀ ଦ୍ବାରା ସେ ରାଜନୀତି ବିଜ୍ଞାନ ରେ ଆମର ଦୀକ୍ଷାକରଣ କରିଥିଲେ। ସମ୍ବିଧାନ ପ୍ରଣୟନ ସଭାର ଗଠନ ଓ କାର୍ଯ୍ୟ ପଢାଇବା ବେଳେ ଲାଗୁଥିଲା ଯେମିତି ଡକ୍ଟର ବି. ଆର୍. ଆମ୍ବେଦକର ପ୍ରଶ୍ନ ମାନଙ୍କର ଉତ୍ତର ଦେଉଥିବାବେଳେ ଆମେ ଯେମିତି ସେଇଠି ଉପସ୍ଥିତ ଥିଲୁ।
ଏବେବି ମନେଅଛି ସମ୍ବିଧାନ ପ୍ରଣୟନ ସଭା ର ଚିଠା ପ୍ରସ୍ତୁତ କାରୀ ସମିତିର ସାତଜଣ ସଦସ୍ଯ ଙ୍କ ନାମ ତାଙ୍କ ମୁଖରେ ଥାଏ ଯଥା ମହମ୍ମଦ ସାଡୁଲ୍ଲା, ଆୟେଙ୍ଗାର, ଖୈତାନ୍…। ଆମେସବୁ ମନ୍ତ୍ରମୁଗ୍ଧ ଭାବରେ ତାହା ଶୁଣୁଥିଲୁ। ସିଏ ବି ଥିଲେ ଆମ ଅନର୍ସ ( ସମ୍ମାନ) ର ଅନ୍ୟତମ ଶିକ୍ଷକ। ସାଧାରଣ ପ୍ରଶାସନ ସେ ପଢାଉ ଥିଲେ। କହିବାକୁ ଗଲେ ରାଜନୀତି ବିଜ୍ଞାନ ରେ ଆମର ମୂଳଦୁଆ ସିଏ ହିଁ ପକାଇ ଥିଲେ।
ସେ ସରକାରୀ ବସାଘରେ ରହୁଥିଲେ। ଛାତ୍ରାବାସ ରେ ତତ୍ତ୍ବାବଧାରକ ଥିଲେ। ଆମେ ସ୍ନାତକ ଡିଗ୍ରୀ ହାସଲ କରିବା ପରଠୁଁ ସାର୍ ଙ୍କ ସହ ଆଉ ଏତେ ସମ୍ପର୍କ ରହି ପାରିନି।
ଆମେ ଶୁଣିଛୁ, ପରବର୍ତ୍ତୀ ସମୟରେ ସେ ଆମ ରାଜ୍ୟ ବିଧାନ ସଭା ଲାଇବ୍ରେରୀ, ଭୁବନେଶ୍ବର ରେ ରିସର୍ଚ୍ଚ ଅଫିସର (ଗବେଷଣା ଅଧିକାରୀ) ରୂପେ ଅବସ୍ଥାପିତ ହୋଇଥିଲେ। ତାହା ଥିଲା ତାଙ୍କ ଦକ୍ଷତାର ପରିଚାୟକ।
ସେ ଥିଲେ ମିଷ୍ଟଭାଷୀ ଓ ଜଣେ ସରଳ ମଣିଷ। ତାଙ୍କର ମାର୍ଜିତ ବ୍ୟବହାର ଓ ଦକ୍ଷତା ପାଇଁ ମହାବିଦ୍ୟାଳୟର ସବୁ କାର୍ଯ୍ୟକ୍ରମ ରେ ସେ କିଛି ନା କିଛି ଭୂମିକା ନିର୍ବାହ କରୁଥିଲେ। ଶିକ୍ଷକ ହିସାବରେ ସେ ଥିଲେ ସବୁ ଛାତ୍ର ଛାତ୍ରୀଙ୍କର ପ୍ରିୟ। ତାଙ୍କର ପଢାଇବା ଶୈଳୀ ସବୁ ପ୍ରକାର ଛାତ୍ର ଛାତ୍ରୀଙ୍କର ଗ୍ରହଣୀୟ ହୋଇପାରିଥିଲା।
ତିନି ଚାରି ମାସ ତଳେ ଖବର ପାଇଥିଲୁ ଯେ ସେ ପୁରି ରେ ଆମର ଜଣେ ବନ୍ଧୁ ଯିଏକି ଟ୍ରେଜେରୀ ଅଫିସର ଅଛନ୍ତି ତାଙ୍କ ସହ ଭେଟ କରିଥିଲେ। ତାଙ୍କର ପେନସନ ଏଯାଏ ହୋଇପାରିନଥିବା ଜାଣି ବଂଧୁଜଣକ ତାଙ୍କୁ ସେହି ଦିନରେ ହିଁ ତାହା କରିଦେଇଥିଲେ। ହତବାକ ହୋଇ ଭାବୁଥିଲି, ଏ ପରିଣତ ବୟସରେ ବି ତାଙ୍କୁ କେତେ ଅସୁବିଧା ଭୋଗକରିବାକୁ ପଡିନଥିବ!! ଶିକ୍ଷକର ଭାଗ୍ୟ ହିଁ ସେମିତି। ଏବେ ଏବେ ସେ ସମୟରେ ଭଦ୍ରକ ବିଶ୍ବବିଦ୍ୟାଳୟରେ ଅଧ୍ଯାପକ ଥିବା ପ୍ରଫେସର ମହେନ୍ଦ୍ର ନାୟକଙ୍କ ସହ କଥା ହୋଇ ଜାଣିଲି ଯେ ସାର୍ ଙ୍କ ସହ ସେ କୋଡିଏ ଦିନ ତଳେ କଥା ହୋଇଥିଲେ ବୋଲି। ସେ ଆଉ ଚାଲି ପାରୁନଥିବା କଥା ସେ ଜଣାଇଥିଲେ। ତାହା ବୋଧହୁଏ ଥିଲା ତାଙ୍କର ଏ ଈହଧାମ ରୁ ବାହୁଡି ଯିବାର ସୂଚନା। ତାହା ହିଁ ସତ ଥିଲା।
ଠିକ୍ ଦଶ ଦିନ ତଳେ ସେହି ବିଶିଷ୍ଟ ଶିକ୍ଷକଙ୍କର ଦେହାବସାନ ଖବର ମୋ ପରି ତାଙ୍କର ସମସ୍ତ ଛାତ୍ର ଛାତ୍ରୀଙ୍କୁ ମର୍ମାହତ କରିଛି। ତାଙ୍କ ବ୍ୟକ୍ତିତ୍ବର ଛାପ ତାଙ୍କର ସବୁ ଛାତ୍ର ଛାତ୍ରୀଙ୍କ ଉପରେ ପଡିଥିବାଟା ଅନସ୍ବୀକାର୍ଯ୍ୟ। କହିବା ବାହୁଲ୍ୟ, ନିଜେ ଜଣେ ଶିକ୍ଷକ ହୋଇଥିବାରୁ ଅଜାଣତରେ ମୁଁ ବିଭିନ୍ନ ଦିଗରେ ତାଙ୍କର ପ୍ରତିଫଳନ ଥିବା ଦୃଢ ଭାବରେ ଅନୁଭବ କରେ। ଏହା ହିଁ ତ ଜଣେ ସଫଳ ଶିକ୍ଷକର ପରିଚାୟକ।
ଅନିଲ ମହାପାତ୍ର
ପ୍ରଫେସର, ରାଜନୀତି ବିଜ୍ଞାନ
ଫକୀର ମୋହନ ବିଶ୍ବବିଦ୍ୟାଳୟ
ବାଲେଶ୍ବର