ମମତାଙ୍କୁ ଝଟକା ଦେଲେ ଓଡିଶା ସରକାର: ଉତ୍ତରପ୍ରଦେଶରୁ ଆସିଲା ଆଳୁ
ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଏବଂ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି ।
ଆଜି ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ । ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ରାଜ୍ୟର ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ବ୍ୟବସାୟୀ ଏବଂ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।