ରାଜ୍ୟ

ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦୁଝର ପରି ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହୋଇପାରି ନାହିଁ। ଜିଲ୍ଲାରେ ଖଣିଜ ସମ୍ପଦ ସହ ଜମି, ଜଳ, ବିଦ୍ୟୁତ, ଯୋଗାଯୋଗର ସୁବିଧା ଆଦି ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ବିଭିନ୍ନ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରାଯାଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।

Leave a Reply

Your email address will not be published. Required fields are marked *