ମୋହନ ସରକାରଙ୍କ ବଡ଼ ଘୋଷଣା: ଗହମ ସହିତ ରାସନ ଦୋକାନରେ ମିଳିବ ଶ୍ରୀଅନ୍ନ
ଭୋପାଳ: ରାଜ୍ୟର ବିକାଶ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ଅନ୍ତର୍ଗତ ଗରିବଙ୍କୁ ଦିଆଯାଉଥିବା ରାସନରେ ଗହମ ସହିତ ଜୋୱାର, ମିଲେଟ ଏବଂ ରାଗି ଆଦି ଶ୍ରୀଅନ୍ନ ଅନ୍ତର୍ଭୁକ୍ତ କରାଯିବା ପାଇଁ ବିଚାର କରୁଛନ୍ତି। ତେଣୁ ମଧ୍ୟପ୍ରଦେଶର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ହିତାଧିକାରୀଙ୍କୁ ରାସନ ବଣ୍ଟନରେ ବର୍ତ୍ତମାନ ରାଜ୍ୟରେ ଉତ୍ପାଦିତ ଜୋୱାର, ମିଲେଟ ଏବଂ ରାଗି ମଧ୍ୟ ଖାଦ୍ୟ ଶସ୍ୟ ଭାବେ ଦିଆଯିବ।
ଏଥିପାଇଁ ସ୍ଥାନୀୟ କୃଷକମାନଙ୍କଠାରୁ ଶସ୍ୟ ସଂଗ୍ରହ କରିବା ଏବଂ ଏହି ପ୍ରକ୍ରିୟାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବା ଉପରେ ବିଚାର କରାଯିବ। ଏହା ସହିତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସ୍ବୀକୃତି ପତ୍ର ଜାରି କରାଯାଇଥିବା ବ୍ୟକ୍ତି ଏହି ଯୋଜନା ପାଇଁ ଯୋଗ୍ୟ କି ନୁହେଁ ତାହା ଜାଣିବା ପାଇଁ ଏକ ସର୍ଭେ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖାଦ୍ୟ ନାଗରିକ ଯୋଗାଣ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ସଭାରେ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ, ମୁଖ୍ୟ ଶାସନ ସଚିବ ଭେରା ରାଣା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ରାଜୌରା ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଖାଦ୍ୟ ସୁରକ୍ଷା ଅଧିନିୟମ, ଫର୍ଟିଫାଏଡ୍ ଚାଉଳ, ଚିନି ଏବଂ ଲୁଣ ବଣ୍ଟନ, ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇବା, ଏକ ଦେଶ-ଏକ ରେସନ କାର୍ଡ, ପ୍ରଧାନ ମନ୍ତ୍ରୀ ରାସନ ଆପକେ ଗ୍ରାମ ଯୋଜନା, ମୁଖ୍ୟମନ୍ତ୍ରୀ ଯୁବା ଅନ୍ନଦୂତ ଯୋଜନା , ପ୍ରଧାନ ମନ୍ତ୍ରୀ ଉଜ୍ଜ୍ବଳା ଯୋଜନା, ୪୫୦ଟଙ୍କା ମୂଲ୍ୟରେ ମହିଳାଙ୍କୁ ଗ୍ୟାସ୍ ସିଲିଣ୍ଡର ଯୋଗାଣ, ପ୍ରଧାନ ମନ୍ତ୍ରୀ ଜନମନ ମିଶନ, ଗହମ କ୍ରୟ ସ୍ଥିତି ଏବଂ ଧାର୍ଯ୍ୟ ଜନସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଚାଲିଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।