ଭାରତକୁ ୨୮ଦ୍ୱୀପପୁଞ୍ଜ ହସ୍ତାନ୍ତର କରିବ ମାଳଦ୍ୱୀପ, ଚୀନ୍କୁ ବଡ଼ ଝଟ୍କା
ମାଲେ: ମାଳଦ୍ୱୀପ ନିଜର ୨୮ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ୨୮ ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ପ୍ରକଳ୍ପର କାର୍ଯ୍ୟ ତଥା ପରିଚାଳନା କରିବା ଭାରତ ସରକାରଙ୍କ ଦାୟିତ୍ବ ହେବ। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏହା ଘୋଷଣା କରିଛନ୍ତି।
ସେ ସୋସିଆଲ ମିଡିଆରେ ଏନେଇ ଏକ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ମାଳଦ୍ୱୀପର ୨୮ ଦ୍ୱୀପପୁଞ୍ଜରେ ଜଳ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ପ୍ରକଳ୍ପକୁ ସରକାରୀ ହସ୍ତାନ୍ତର ଅବସରରେ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ। ମାଳଦ୍ୱୀପକୁ ସର୍ବଦା ସାହାଯ୍ୟ କରିଥିବାରୁ ମୁଁ ଭାରତ ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି।
ମାଲଦ୍ୱୀପରେ ପ୍ରାୟ ୧୧୯୦ ଦ୍ୱୀପ ଅଛି। ସେଥିମଧ୍ୟରୁ କେବଳ ୨୦୦ ଦ୍ୱୀପପୁଞ୍ଜରେ ଲୋକେ ବାସ କରନ୍ତି । ୧୫୦ ଟି ଦ୍ୱୀପ ଅଛି ଯାହା ପର୍ଯ୍ୟଟନ ପାଇଁ ବିକଶିତ ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହେବାକୁ ଯାଉଛି ଯେ ୨୦୦ ରୁ ୨୮ ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତ ହାତକୁ ଆସିବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଏବଂ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ନୂତନ ଚୁକ୍ତିନାମା ଯୋଗୁ ଭାରତର ବିରୋଧୀ ଚୀନ୍କୁ ବଡ଼ ଝଟ୍କା ଲାଗିଛି। ଚୀନ୍ର ଚିନ୍ତା ବଢ଼ିବାରେ ଲାଗିଛି। ବାଂଲାଦେଶରେ ଭାରତ ସମର୍ଥିତ ସରକାରକୁ ହଟାଇ ଦିଆଯିବା ପରେ ମାଳଦ୍ବୀପର ଏଭଳି ନିଷ୍ପତ୍ତି ଭାରତର କୂଟନୀତି ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ହେଉଛି।