ଗହ୍ମାପୂର୍ଣ୍ଣିମାରେ ଦେଖାଯିବ ନୀଳଜହ୍ନ, ଜାଣନ୍ତୁ ଏହାର ମହତ୍ତ୍ବ
ନୂଆଦିଲ୍ଲୀ: ଗହ୍ମାପୂର୍ଣ୍ଣିମା ବା ରକ୍ଷାବନ୍ଧନର ଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଅଟେ । କିନ୍ତୁ ଏଥର ମହାକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଅଗଷ୍ଟ ୧୯ରେ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ । ତେବେ ବ୍ଲୁ ମୁନ କଣ ଓ ଏହା ପଛର ବୈଜ୍ଞାନିକ କାରଣ କଣ ?ପୃଥିବୀ ଚାରିପଟେ ଘୂରିବୁଲୁଥିବା ବେଳେ ଚନ୍ଦ୍ର ବେଳେ ବେଳେ ପୃଥିବୀ ନିକଟକୁ ଆସିଥାଏ। ପୁଣି ବେଳେ ବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ । ଯେତେବେଳେ ଏହା ପୃଥିବୀର ସବୁଠାରୁ ନିକଟବର୍ତ୍ତି ହୋଇଥାଏ ସେତେବେଳେ ଚନ୍ଦ୍ର ୩୦ ପ୍ରତିଶତ ବଡ଼ ଓ ଉଜ୍ଜଳ ଦେଖାଯାଏ । ତାହାକୁ ସୁପରମୁନ କୁହାଯାଏ ।
ଅନ୍ୟପକ୍ଷରେ ନୀଳଜହ୍ନ ବା ବ୍ଲୁମୁନ୍ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ୨ୟ ଟିକୁ କିମ୍ବା ଗୋଟିଏ ଋତୁରେ ଚାରିଟି ପୂର୍ଣ୍ଣିମା ପଡ଼ିଲେ ଏବଂ ତୃତୀୟ ପୂର୍ଣ୍ଣିମାକୁ ନୀଳ ଚନ୍ଦ୍ର କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । ଆହୁରି ମଧ୍ୟ ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ ।
ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ୍ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଚନ୍ଦ୍ର ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ୍ ମେ ୩୧, ୨୦୨୬ରେ ହେବ।