ରାଜ୍ୟ

ଧରାପଡ଼ିଲେ କୁଖ୍ୟାତ କ୍ରିଷ୍ଣା ଗ୍ୟାଙ୍ଗ୍‌ର ୮: ପୁରୀରୁ ଆସି ରାଜଧାନୀରୁ ଲୁଟୁଥିଲେ

ଭୁବନେଶ୍ବର: ପୁରୀରୁ ଆସି ରାଜଧାନୀରୁ ବାଇକ୍‌ ଲୁଟୁଥିବା କୁଖ୍ୟାତ କ୍ରିଷ୍ଣା ଗ୍ୟାଙ୍ଗ୍‌ ଶେଷରେ କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଛି। ସ୍ପେସାଲ୍‌ ସ୍କ୍ବାଡ୍‌ ଓ ବଡ଼ଗଡ଼ ଥାନା ପୁଲିସ ମିଳିତ ଅପ‌ରେସନ୍‌ କରି ୮ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ ଗ୍ୟାଙ୍ଗ୍‌ ମୁଖିଆ କୋଣାର୍କ ଅଞ୍ଚଳର କ୍ରିଷ୍ଣା କାଣ୍ଡି ଓରଫ ରାହୁଲ୍‌ କାଣ୍ଡି(୨୪), ପୁରୀ ତାଳବଣିଆ ଅଞ୍ଚଳର ସୁଦର୍ଶନ ଦାସ ଓରଫ ସୁଜି(୩୬), କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳର ରାମଚନ୍ଦ୍ର ବେହେରା(୨୮), ସାନଜ ବେହେରା ଓରଫ ସନିଆ(୨୯), ଜଗନ ରାଉତ(୨୨), କୋଣାର୍କ ରାମଚଣ୍ଡୀ ଅଞ୍ଚଳର ଦୀପକ କୁମାର ସାହୁ ଓରଫ ଦିଲୁ(୨୫), ପୁରୀ ଗୋପ ଅଞ୍ଚଳର ଆକାଶ ବାରିକ(୨୩) ଓ ପିପିଲି ଅଞ୍ଚଳର ସତ୍ୟରଂଜନ ଭୋଇ ଓରଫ ମନ୍ତ୍ରା(୨୮)। ପୁଲିସ ସେମାନଙ୍କ ନିକଟରୁ ୩୧ଟି ବାଇକ୍‌, ଗୋଟିଏ ବାଇକ୍‌ ଇଂଜିନ୍‌, ୫ ମାଷ୍ଟର କି’ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ପ୍ରାୟ ୬ମାସ ହେଲା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏହି ଗ୍ୟାଙ୍ଗ୍‌ ସମ୍ପର୍କରେ ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନ‌ୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।୬ମାସ ହେଲା ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିଲା। ବଡ଼ଗଡ଼, ଲିଙ୍ଗରାଜ, ଧଉଳି, କ୍ୟାପିଟାଲ୍‌, ଲକ୍ଷ୍ମୀସାଗର ଆଦି ଥାନା ଅଞ୍ଚଳରୁ ଏହି ଗ୍ୟାଙ୍ଗ୍‌ ବାଇକ୍‌ ଚୋରି କରୁଥିଲା। ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦଳବଳ ହୋଇ ଗୋଟିଏ ବାଇକ୍‌ରେ ୨ଜଣ ଲେଖାଏଁ ଆସୁଥିଲେ ଏବଂ ଫେରିବା ବେଳେ ସମସ୍ତ‌େ ଗୋଟିଏ ଗୋଟିଏ ବାଇକ୍‌ ଧରି ଫେରୁଥିଲେ। ମଲ୍‌, କୋର୍ଟ ଓ ଜନଗହଳି ଅଞ୍ଚଳକୁ ଟାର୍ଗେଟ୍‌ କରୁଥିଲେ। ମାଷ୍ଟର କି’ରେ ବାଇକ୍‌ ଲକ୍‌ ଖୋଲି ଚୋରି କରୁଥିଲେ।

Leave a Reply

Your email address will not be published. Required fields are marked *