ମାଟିଚିନ୍ତାରେ ମୂର୍ତ୍ତିକାର: ତଥାପି ହାରିନାହିଁ କଳାକାର
ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠରେ ଜମିର ମୂଲ୍ୟ ଯେଉଁ ହାରରେ ବୃଦ୍ଧି ପାଉଛି, ମାଟିର ବଜାର ମୂଲ୍ୟ ମଧ୍ୟ ସେହି ଅନୁସାରେ ବଢ଼ି ଚାଲିଛି। ମୂର୍ତ୍ତି ତିଆରିବାଲାଗି ବ୍ୟବହାର କରାଯାଉଥିବା ଏକ ଟ୍ରାକ୍ଟର ମାଟି ପାଇଁ ୩,୦୦୦ ଟଙ୍କା ଉପରେ ଖର୍ଚ୍ଚ ହେଉଛି। ମାଟିର ଏତେ ଚଢ଼ାଦର ସହିତ ଅନ୍ୟ କଞ୍ଚାମାଲଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ମୂର୍ତ୍ତି ତିଆରି କରି ବିକ୍ରିକଲେ ବିଶେଷ ଲାଭ ମିଳୁନି ବୋଲି ବାଲିଅନ୍ତା ଅଞ୍ଚଳର କାରିଗରମାନେ କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି। ଉଲ୍ଲେଖନୀୟ ଯେ ଏହି ଅଞ୍ଚଳରେ ଅନେକ ମୂର୍ତ୍ତି କାରିଗର ଅଛନ୍ତି, ସେମାନଙ୍କର ପୂରା ପରିବାର ଏହି ବୃତ୍ତିକୁ ଆପଣେଇଛନ୍ତି। କିନ୍ତୁ ମାଟିର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୂର୍ତ୍ତି ତିଆରି କରି ଗୁଜୁରାଣ ମେଣ୍ଟାଉଥିବା ଏହି କାରିଗରମାନେ ହରଡ଼ଘଣାରେ ପଡ଼ିଛନ୍ତି। ଉକ୍ତ ଅଞ୍ଚଳରେ ବିଲଡର୍ମାନେ ପ୍ଲଟିଂ ସ୍କିମ୍ କରିବାଲାଗି ଜମି କିଣି ନେଉଥିବାରୁ ମାଟି ମିଳିବା ଦିନକୁ ଦିନ କଷ୍ଟକର ହୋଇ ପଡୁଛି ବୋଲି ସେମାନେ କହନ୍ତି।
ଏବେ ପାର୍ବଣ ଋତୁ ଚାଲିଥିବାରୁ ମାଟିମୂତ୍ତି ତିଆରି କରୁଥିବା କାରିଗର ତଅପୋଇ, ଗଣେଶ ଓ ବିଶ୍ବକର୍ମା ଆଦି ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି। ତେବେ ମୂର୍ତ୍ତି ତିଆରିବା ପାଇଁ ଆବଶ୍ୟକ ଚିକିଟା ମାଟି ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ଖରାଦିନେ କାରିଗରମାନେ ନିଜ ବାଡ଼ିଘରେ ଯେତିକି ମାଟି ସଂଗ୍ରହ କରି ରଖିଥିଲେ, ତାହା ସରିବାକୁ ବସିଲାଣି। ବର୍ତ୍ତମାନ ଜମିରେ ଫସଲ ଥିବାରୁ ସେଠାରୁ ବି ମାଟି ଯୋଗାଡ଼ କରିବା ମଧ୍ୟ ସମ୍ଭବ ନୁହେଁ। ଏଣେ ପାର୍ବଣ ଋତୁ ଚାଲିଥିବାରୁ ଘରଘନ ବରାଦ ଆସୁଛି। କିନ୍ତୁ ମାଟି ଅଭାବ ଥିବାରୁ ଅନେକ କାରିଗର ଗ୍ରାହକଙ୍କ ଠାରୁ ବଇନା ନରଖି ଫେରାଉ ଦେଉଥିବା କହିଛନ୍ତି। ବାଳକାଟି ମୁଦୁଲି ସାହିର ମୂର୍ତ୍ତି କାରିଗର ମନୋଜ ଓ ତାଙ୍କ ଭଉଣୀ ସୁନୀତା ମୁଦୁଲିଙ୍କ କହିଲେ, ‘‘ଯେତିକି ମାଟି କିଣାଯାଇଥିଲା ଆଉ କିଛି ମୂର୍ତ୍ତି ତିଆରି କରିବା ପରେ ସରିଯିବ।
ଆଗକୁ ବିଶ୍ବକର୍ମା ପୂଜା ସକାଶେ ଗ୍ରାହକମାନଙ୍କ ଠାରୁ ବରାଦ ଅନୁସାରେ ବଇନା ରଖିପାରୁନୁ।’’ ଏହାଛଡ଼ା ସୂତୁଲି, ରଙ୍ଗ, ଝୋଟ, ପଟା, ଧାନ ଅଗାଡ଼ି, ବାଲି ଓ ନୂଆଶାଢ଼ୀ ଆଦି କଞ୍ଚାମାଲର ମୂଲ୍ୟବୃଦ୍ଧି ଯୋଗୁ ମୂର୍ତ୍ତି ପିଛା ଲାଭ ଆଉ ଆଗଭଳି ହେଉନଥିବା ସେମାନେ କହିଛନ୍ତି। ତେବେ ଗୋଟିଏ ବଡ଼କଥା ହେଉଛି, ସମସ୍ୟା ଥିଲେ ହେଁ ଏହି ମୂତ୍ତି କାରିଗରଙ୍କ ଭିତରୁ ଅନେକ ଦୃଢ଼ତାର ସହିତ କହନ୍ତି ଯେ ଯେତେ ସମସ୍ୟା ଆସିଲେ ବି ବାପା ଜେଜେ ଅମଳର ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବେ। ଆଣ୍ଠୁଆରି, ମହୁଖଣ୍ଡା, କାକରୁଦ୍ରପୁର, ବ୍ରାହ୍ମଣସୁଆଁଲୋ, ବେଣୁପୁର, ଭିଙ୍ଗାରପୁର ଓ ବାଲିଅନ୍ତା ଆଦି ଅଞ୍ଚଳରେ ମୂର୍ତ୍ତି ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ପରିବାରଗୁଡ଼ିକୁ ଯଦି ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଏ, ତା’ହେଲେ ସେମାନଙ୍କ ଆର୍ଥିକ ଉନ୍ନତି ହୋଇପାରନ୍ତା ଏବଂ କଳା ଓ କଳାକାର ବଞ୍ଚି ରହନ୍ତେ।