ରାଜ୍ୟ

ଆମ ସଂସ୍କୃତି ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର,(ପି.ଏନ): ସ୍ଥାନୀୟ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟରେ ଶ୍ରୀମତୀ ଗୀତ ତ୍ରିପାଠୀ ଓ ତ୍ରିଦିବ ତ୍ରିପାଠୀଙ୍କ ପ୍ରଚେଷ୍ଟା ଓ ତତ୍ତ୍ୱାବଧାନରେ ପ୍ରାଚୀନ ଭାରତୀୟ ସଂସ୍କୃତିର ସଚେତନା ଓ ପୁନଃଜାଗରଣ ପାଇଁ ଆମ ସଂସ୍କୃତି କୁଇଜ୍ ଓ ଯୋଗ ପ୍ରତିଯୋଗିତା ରାଜଧାନୀର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ

ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଯୋଗ କିପରି ଜୀବନକୁ ସୁସ୍ଥ ଓ ସୁନ୍ଦର କରିପାରେ ତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଭାପତି ଶ୍ରୀମତୀ ସୁଦତ୍ତ ପଟ୍ଟନାୟକ ଭାରତୀୟ ସଂସ୍କୃତିର ପ୍ରାଚୀନତା ଓ ବୈଶିଷ୍ଟ୍ୟ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ଏହାକୁ ସୁରକ୍ଷିତ ରଖିବା ଉଚିତ ବୋଲି କହିଥିଲେ । ଶ୍ରୀଯୁକ୍ତ ସଞ୍ଜୟ ନନ୍ଦ ଛାତ୍ରଛାତ୍ରୀମାନଙ୍କ ସହିତ ଯୌଗିକ ଜୀବନ ଶୈଳୀ ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଜ୍ଞାନର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ଆଧୁନିକତାର ସ୍ୱର୍ଷରେ ହଜିଆସୁଥିବା ପ୍ରାଚୀନ ଭାରତୀୟ ଜ୍ଞାନ ପ୍ରତି ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉକ୍ତ ପ୍ରତିଯୋଗିତା ଜୁଲାଇ ମାସଠାରୁ ଶ୍ରୀମତୀ ଗୀତା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜଧାନୀର ୩୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ସମୁଦାୟ ୪୬ ଜଣ ପୁରସ୍କୃତ ହୋଇଛନ୍ତି । ବରିଷ୍ଠ ବର୍ଗ କୁଇଜରେ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟର ବିଶ୍ୱଜିତ ନାୟକ, ମଦର୍ସ ପବ୍ଲିକ ସ୍କୁଲ ୟୁନିଟ-୧ର ଆରୋହନ ମହାପାତ୍ର ଓ ମଦର୍ସ ପବ୍ଲିକ ସ୍କୁଲ ଖଣ୍ଡଗିରିର ତନ୍ମୟ ତଥାଗତ ମିଳିତ ଭାବରେ ପ୍ରଥମ ପୁରସ୍କାର ଓ ଯୋଗରେ ବିଜେଇଏମ ସ୍କୁଲର ଅଦିତି ଐଶ୍ୱର୍ଯ୍ୟା ସେଠ୍ ପ୍ରଥମ ପୁରସ୍କାର ଲାଭ କରିଥିଲେ । କନିଷ୍ଠ ବର୍ଗରେ ମଦର୍ସ ପବ୍ଲିକ ସ୍କୁଲ ୟୁନିଟ-୧ର ଅନ୍ୱେଷା ମିଶ୍ର ଓ ଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ର ମିରା ଜାସ୍‌ମିନ୍ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆଗାମୀ ବର୍ଷମାନଙ୍କରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆମ ସଂସ୍କୃତି କାର୍ଯ୍ୟକ୍ରମରେ ସାମିଲ କରିବା ଲକ୍ଷ ବୋଲି ତ୍ରିପାଠୀ ଦମ୍ପତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *