ଜାତୀୟ ଲୋକ ଅଦାଲତରେ ୫୧୯ ବିଭିନ୍ନ ମାମଲା ଫଇସଲା
ରାଉରକେଲା: ପାନପୋଷ ତାଲୁକ୍ ଲିଗାଲ ସର୍ଭିସ ପକ୍ଷରୁ ଉଦିତନଗର ବିରଜାପାଲିସ୍ଥ ନୂଆ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ମୁକ୍ତିରଞ୍ଜନ ଶତପଥୀ ଅଧ୍ୟକ୍ଷତା କରିଥିଲେ।
ରାଉରକେଲା ପରିବାର ଅଦାଲତର ବିଚାରପତି ଲିଲି ସେନାପତି, ଦ୍ବିତୀୟ ଅତିରିକ୍ତ ଜିଲ୍ଲାଜଜ୍ ମନୋଜ କୁମାର, ସିଭିଲ୍ଜଜ୍ ସିନିୟର ଡିଭିଜନ୍ ଅଭିଜିତ୍ କୁମାର ପୁରୋହିତ, ଏସ୍ଡିଜେଏମ୍ ଅରୋଲିପି ପରିଜା, ଜେଏମ୍ଏଫ୍ସି ଚରଣ କୁମାର ଜେନା, ଜେଏମ୍ଏଫ୍ସି (ରୁରାଲ୍) ଅମିତ କୁମାର ବେହେରା, ଜେଏମ୍ଏଫ୍ସି କରୋନିକା ଘୋଷ ବିଭିନ୍ନ ମାମଲାର ଫଇସଲା କରିଥିଲେ।
ମୋଟ ୭୭୯ ବିଭିନ୍ନ ମାମଲା ସମାଧାନ ପାଇ ଆସିଥିଲା। ଏଥିରୁ ୫୧୯ଟି ମାମଲା ଫଇସଲା ହୋଇଛି। ମୋଟ ୭ କୋଟି ୮୪ ଲକ୍ଷ ୪୨ ହଜାର ୪୦୭ ଟଙ୍କା ଆଦାୟ କରାଯାଇଛି। ୭ ଅପରାଧିକ ମାମଲାରୁ ୪ଟିର ସମାଧାନ ହୋଇଥିଲା।
୧୭୩ଟି ଚେକ୍ ବାଉନ୍ସ ମାମଲାରୁ ୫୦ଟିର ସମାଧାନ ହୋଇଥିଲା। ବିଭିନ୍ନ ସଂସ୍ଥାକୁ ୧ କୋଟି ୪୮ଲକ୍ଷ ୨୫ ହଜାର ୧୦୪ ଟଙ୍କା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ୧୫୦ଟି ମୋଟରଦୁର୍ଘଟଣାଜନିତ ମାମଲାରୁ ୬୦ଟି ଫଇସଲା କରାଯାଇଛି। ବିଭିନ୍ନ ବୀମା କମ୍ପାନୀକୁ ୪ କୋଟି ୪୯ ଲକ୍ଷ ୨ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।