ରାଜ୍ୟ

ପୁଅକୁ ପୋଖରୀରେ ଫିଙ୍ଗି ହତ୍ୟା କରିଥିଲା ମା’, କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର: ଶିଶୁପୁତ୍ରକୁ ହତ୍ୟା ମାମଲାରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କୋର୍ଟରେ ମା’ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ପାରିପାର୍ଶ୍ବିକ ପ୍ରମାଣ ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ହତ୍ୟା ମାମଲାରେ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି। 

ମାମଲାର ବିବରଣୀରୁ ଜଣାଯାଏ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ କଲହର କରୁଣ ପରିଣତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଢିହି ଗ୍ରାମରେ ଦେଖିବାକୁ ମିଳିଥିଲା। ଏଠାରେ ଜନ୍ମଦାତ୍ରୀ ମା’ ନିଜର ଶିଶୁପୁତ୍ରକୁ ଗଭୀର ପୋଖରୀରେ ଫିଙ୍ଗି ନୃଶଂସ ଭାବରେ ହତ୍ୟା କରିଥିଲା। ଏହି ଘଟଣା ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଘଟିଥିଲା। ବାଙ୍କିଢିହି ଗ୍ରାମର ସାଲାଇ ନାୟକ ଓ ପାର୍ବତୀ ନାୟକଙ୍କ ଦେଢ଼ ବର୍ଷର ପୁଅ ରାଜେଶ ନାୟକକୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଖଳନାୟିକା ଥିଲା ଶିଶୁପୁତ୍ରର ମା’ ପାର୍ବତୀ ନାୟକ। ଗତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ରାଜେଶକୁ ତା’ର ମା’ ହତ୍ୟା କରିଥିଲା। ଏହି ଅପ୍ରୀତିକର ଘଟଣା ନେଇ ବାପା ସାଲାଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ହତ୍ୟା ନେଇ ଏକ ମାମଲା ରୁଜୁ କରିଥିଲା। ଏନେଇ ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଭି. ସୁଜାତାଙ୍କ ଶୁଣାଣିରେ ପୁଲିସ ରିପୋର୍ଟ, ପାରିପାର୍ଶ୍ବିକ ପ୍ରମାଣ ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୁତ୍ରର ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଏପିପି ପଙ୍କଜ ଦାସ ମାମଲାର ପରିଚାଳନା କରୁଥିଲେ

Leave a Reply

Your email address will not be published. Required fields are marked *