ମଣ୍ଡପରେ ଜଗତ୍ଜନନୀଙ୍କ ପୂଜାର୍ଚ୍ଚନା
ଶାରଦୀୟ ନବରାତ୍ରୀର ପାଇଁ ଜଗତ୍ଜନନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଛନ୍ତି। ଚାରିଆଡ଼େ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି। ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମା’ଙ୍କ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ହେଉଛି। ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି। ଭୁବନେଶ୍ବରର ବିଭିନ୍ନ ସହରର ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି। ରାଜଧାନୀରେ ଅଘୋଷିତ ପ୍ରତିଯୋଗିତାମୂଳକ ମେଢ଼ ନିର୍ମାଣ ହୋଇଛି। ତେବେ ପୂଜା ମଣ୍ଡପରେ ମା’ଙ୍କ ପୂଜା ସହିତ ଚିତ୍ତବିନୋଦନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୀନାବଜାର, ଖାଦ୍ୟ ଷ୍ଟଲ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ମୁଖ୍ୟ ରାସ୍ତାକଡ଼ରେ ଆୟୋଜନ ହୋଥିବା ଦୁର୍ଗାପୂଜାର ମେଢ଼ ଦେଖି ଲୋକେ ଅଟକି ଯାଉଛନ୍ତି।ପ୍ରତିବର୍ଷ ଭଳି ରସୁଲଗଡ଼ ଦୁର୍ଗାପୂଜା କମିଟି ଚଳିତ ଥର ମଧ୍ୟ ମା’ଙ୍କ ପାଇଁ ଆକର୍ଷଣୀୟ ତୋରଣ ନିର୍ମାଣ କରିଛି। ଭୁବନେଶ୍ବରର ଅନ୍ୟତମ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ବାମୀ ନାରାୟଣ ମନ୍ଦିରର ଆକୃତି ନିର୍ମାଣ କରିଛି। ସ୍ବାମୀ ନାରାୟଣ ମନ୍ଦିର ଦେଶ-ବିଦେଶରେ ନାମୀ ପର୍ଯ୍ୟଟନସ୍ଥଳୀ। ସେଥିରୁ ଗୁଜରାଟର ଅହମଦାବାଦସ୍ଥିତ ସ୍ବାମୀ ନାରାୟଣ ମନ୍ଦିର ଅନ୍ୟତମ। ଏହି ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ।