ରାଜ୍ୟ

ରାଜସ୍ଥାନ: ନର୍ଦ୍ଦମା ଟାଙ୍କି ସଫା କରିବାକୁ ଯାଇ ୩ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ମଙ୍ଗଳବାର ଏକ ନର୍ଦ୍ଦମା ଟାଙ୍କି ସଫା କରୁଥିବା ବେଳେ ୩ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବିଷାକ୍ତ ଗ୍ୟାସ୍ ଯୋଗୁଁ ତିନି ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଜଣେ ସଫେଇ କର୍ମଚାରୀ ପ୍ରଥମେ ନର୍ଦ୍ଦମା ଚେମ୍ବରକୁ ଯାଇଥିବା ବେଳେ ସେ ବାହାରକୁ ନ ଆସିବାରୁ ଅନ୍ୟ ଜଣେ ଶ୍ରମିକ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଭିତରକୁ ଯାଇଥିଲେ। ଦ୍ବିତୀୟ କର୍ମଚାରୀ ମଧ୍ୟ ବାହାରକୁ ନ ଆସିବାରୁ ତୃତୀୟ କର୍ମଚାରୀ ସେମାନଙ୍କୁ ବଞ୍ଚାଇବା ପାଇଁ ନର୍ଦ୍ଦମାରେ ପ୍ରବେଶକରି ଆଉ ଫେରିନଥିଲେ ।

ତିନି ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ପରେ ବାଲ୍ମିକି ସମାଜର ଲୋକେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ଚାକିରି ଓ କ୍ଷତିପୂରଣ ଦାବିରେ ଅଟଳ ରହିଛନ୍ତି। ବାଲ୍ମିକି ସମାଜର ଲୋକମାନେ ନଗର ପରିଷଦ ବିରୋଧରେ ନାରାବାଜି କରି ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ସଫେଇ କର୍ମଚାରୀ ବାଲ୍ମିକି ସମ୍ପ୍ରଦାୟର ଏବଂ ଫତେହପୁରର ବାସିନ୍ଦା ଥିଲେ।

ସୂଚନା ଅନୁଯାୟୀ, ୱାର୍ଡ ୨ ରମଜାନ ମସଜିଦ ସମ୍ମୁଖରେ ମଇଳା ପାଣି ଜମା ହୋଇଥିବା ଅଭିଯୋଗ ଆସିଥିଲା। ଯାହା ପରେ ସଫେଇ କର୍ମଚାରୀମାନେ ପହଞ୍ଚି ନର୍ଦ୍ଦମା ସଫା କରିବାକୁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । 

Leave a Reply

Your email address will not be published. Required fields are marked *