କେବେ ଓ କାହିଁକି ପାଳିବେ ଦୀପାବଳି
ଭାରତବର୍ଷର ବହୁ ବିଶେଷତ୍ବ ମଧ୍ୟରେ ଅନ୍ୟ ଏକ ବିଶେଷତ୍ଵ ହେଉଛି ‘ୟୁନିଟି ଇନ୍ ଡାଇଭରସିଟି’ ଅର୍ଥାତ୍ ଅନେକତାରେ ଏକତା। ଏହି ବିଶେଷତ୍ଵ ଭାରତରେ ପାଳିତ ହେଉଥିବା ପର୍ବପର୍ବାଣୀ ମାନଙ୍କରେ ମଧ୍ୟ ଦେଖାଯାଏ। ଏହା ମଧ୍ୟରେ ଦୀପାବଳି ପର୍ବ ଅନ୍ୟତମ। ଏହା ପ୍ରାନ୍ତ ବିଶେଷରେ ଏବଂ ପ୍ରକାରାନ୍ତରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ। ଏଣୁ ଉଦ୍ଦେଶ୍ୟ ଏବଂ ପ୍ରାନ୍ତ ବିଶେଷରେ କର୍ମକାଳ ଏବଂ ବିଧିବିଧାନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଦୀପାବଳି ଦିନ ମୁଖ୍ୟତଃ ଦୀପ ପ୍ରଜ୍ଜ୍ୱଳନ ବା ଦୀପଦାନ ମୁଖ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରଥା ଏବଂ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ।
ଭାରତବର୍ଷରେ ପ୍ରାନ୍ତ ବିଶେଷରେ ପୂର୍ଣ୍ଣିମାନ୍ତ ଅମାବାସ୍ୟାନ୍ତ ଅନୁସାରେ ଧାର୍ମିକ ମାସ ପ୍ରଚଳନ ଭିନ୍ନ ଭିନ୍ନ ହୋଇଥାଏ। ଓଡ଼ିଶା ସମେତ ଅନେକ ରାଜ୍ୟରେ ପୂର୍ଣ୍ଣିମାରେ ମାସଶେଷ ହୋଇ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ନୂତନମାସର ଆରମ୍ଭ ହୋଇଥାଏ। ଗୁଜୁରାଟ, ରାଜସ୍ଥାନ ଆଦିପ୍ରାନ୍ତରେ ଏବଂ ଦକ୍ଷିଣ ଭାରତର କିଛିପ୍ରାନ୍ତରେ ଅମାବାସ୍ୟାରେ ମାସ ଶେଷ ହୋଇ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମାସର ଆରମ୍ଭ ହୋଇଥାଏ।
ଭାରତବର୍ଷରେ ଦୀପାବଳିର ମହତ୍ଵ ଏବଂ ଅନୁଷ୍ଠାନ ସହିତ ବହୁ କିମ୍ବଦନ୍ତୀ ଏବଂ ଶାସ୍ତ୍ର ତଥା ପୁରାଣ ମତ ଜଡିତ ରହିଛି। ପଶ୍ଚିମ ଭାରତ ଯଥା ଗୁଜରାଟ ଓ ରାଜସ୍ଥାନ ଆଦି ପ୍ରାନ୍ତରେ ଦୀପାବଳି ଅମାବାସ୍ୟାର ମହତ୍ଵ ଏବଂ ଅନୁଷ୍ଠାନ ଭିନ୍ନ। ଗୁଜରାଟରେ ପ୍ରଚଳିତ ପଞ୍ଜିକା ଅନୁସାରେ ଦୀପାବଳି ଅମାବାସ୍ୟା ହେଉଛି ବର୍ଷର ଅନ୍ତିମ ଦିବସ। ଦୀପାବଳି ପରଦିନଠାରୁ (କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଠାରୁ) ଗୁଜରାଟରେ ନୂତନବର୍ଷର ଆରମ୍ଭ ହୋଇଥାଏ। ପୁନଶ୍ଚ କିମ୍ବଦନ୍ତୀ ଅନୁସାରେ ମାଁ ଲକ୍ଷ୍ମୀ ଏହିଦିନ ସମୁଦ୍ର ମନ୍ଥନରୁ ଆବିର୍ଭୁତ ହୋଇଥିଲେ। ଏହି ଉଦ୍ଦେଶ୍ୟ ମାନଙ୍କ ହେତୁ ଏହି ପ୍ରାନ୍ତମାନଙ୍କରେ ଏହି ଦିନ ମା’ ଲକ୍ଷ୍ମୀ, ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଧନଦେବତା କୁବେର ଏବଂ ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କର ପୂଜାର୍ଚ୍ଚନା ସହିତ ବ୍ୟବସାୟ ପ୍ରତିଷ୍ଠାନ ପୂଜା ଖାତା ପୂଜା ସହିତ ଦୀପପ୍ରଜ୍ଜ୍ଵଳ ଏବଂ ନୂତନବର୍ଷର ସ୍ଵାଗତ ନିମନ୍ତେ ନବବସ୍ତ୍ର ପରିଧାନ ପାରସସ୍ପରିକ ଉପହାର ପ୍ରଦାନ ସହିତ ଉତ୍ସବ ପାଳନ କରାଯାଏ ।