ରାଜ୍ୟ

କୋଟି ନୁହେଁ ନିଜ ମୂଳ ମୂଲ୍ୟ କମାଇ ଏତିକି ଲକ୍ଷ ଟଙ୍କା ରଖିଲେ ପୃଥ୍ଵୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପରବର୍ତ୍ତୀ ସିଜନ୍ ପାଇଁ ବିଗୁଲ ବାଜିସାରିଛି | ଆଇପିଏଲ ୨୦୨୫ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ | ଏଥର ସାଉଦି ଆରବର ଜେଦାହଠାରେ ଆଇପିଏଲ୍ ନିଲାମ ଅନୁଷ୍ଠିତ ହେବ। ଏହି ନିଲାମ ପାଇଁ ୧୫୦୦ ରୁ ଅଧିକ ଖେଳାଳି ପଞ୍ଜିକରଣ କରିଛନ୍ତି | ତେବେ ମେଗା ନିଲାମ ପାଇଁ ନିଜ ନାମ ଦେଇଥିବା ୧୫୭୪ ଖେଳାଳିଙ୍କ ମଧ୍ୟରୁ ୧୧୬୫ ଖେଳାଳି ଭାରତର। ତେବେ ଭାରତର ଦୁଇ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଏହି ଦୁଇ ଜଣ ଖେଳାଳି ନିଜର ମୂଲ୍ୟ କମାଇଦେଇଛନ୍ତି |

ଗୋଟିଏ ପଟେ ଅଧିକାଂଶ ଭାରତୀୟ ଖେଳାଳି ସେମାନଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଛନ୍ତି। ଯେତେବେଳେ କି ସରଫରାଜ ଖାନ ଏବଂ ପୃଥ୍ଵୀ ସ’ଙ୍କ ଭଳି ଷ୍ଟାର ଖେଳାଳିମାନେ ସେମାନଙ୍କର ମୂଳ ମୂଲ୍ୟ ମାତ୍ର ୭୫ ଲକ୍ଷ ଟଙ୍କା ରଖିଛନ୍ତି। ଏହି ଦୁଇ ଖେଳାଳିଙ୍କ ମୂଳ ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଖାଲିଲ ଅହମ୍ମଦ, ଦୀପକ ଚହର, ଭେଙ୍କଟେଶ ଆୟର, ଆବେଶ ଖାନ, ଇଶାନ କିଶନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କୃଷ୍ଣ, ଟି ନଟରାଜନ, ଦେବଦତ୍ତ ପାଡିକଲ, କ୍ରୁନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ୱାଶିଂଟନ୍ ସୁନ୍ଦର, ଶରଦୁଲ ଠାକୁର, ମହମ୍ମଦ ସିରାଜ ଓ ଉମେଶ ଯାଦବ ପ୍ରମୁଖ ନିଜ ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଛନ୍ତି | ଉଲ୍ଲେଖ ଥାଉ କି କିଛି ଦିନ ତଳେ ଓପନର୍‌ ପୃଥ୍ବୀ ସ’ଙ୍କ ପାଇଁ ତାଙ୍କ ମୋଟାପଣ କାଳ ହୋଇଥିଲା ।

ଦୁର୍ବଳ ଫିଟ୍‌ନେସ୍‌ ପାଇଁ ତାଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ୍‌ ଦିଆଯାଇଥିଲା । ଚଳିତ ଋତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ୫୯ ରନ୍‌ କରିଥିବା ସ’ଙ୍କୁ ଓଜନ କମାଇଲେ ଦଳରେ ସ୍ଥାନ ମିଳିବ ବୋଲି କୁହାଯାଇଥିଲା। ଅଧିକ ଓଜନ ଲାଗି ସ’ଙ୍କୁ ବାଦ୍‌ ଦେବା ସହ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ମୁଖ୍ୟ ପ୍ରଶିକ୍ଷକ ଓଁକାର ସାଲ୍‌ଭେ ଦଳର ଯୁବ ଓପନର୍‌ଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଥିଲେ । ସ’ଙ୍କ ଶରୀରରେ ୩୫ ପ୍ରତିଶତ ଅତିରିକ୍ତ ମୋଟାପଣ ରହିଛି। ତାଙ୍କୁ ଏହା କମାଇବା ଲାଗି ‌କଠୋର ଅଭ୍ୟାସ କରିବାକୁ କୁହାଯାଇଛି ବୋଲି ଜଣେ ମୁମ୍ବାଇ କ୍ରିକେଟ୍‌ ସଂଘର ଅଧିକାରୀ କହିଥିଲେ । 

Leave a Reply

Your email address will not be published. Required fields are marked *