ରାଜ୍ୟ

କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ
ବିଜୁବାବୁଙ୍କ ୧0୭ତମ ଜୟନ୍ତୀ

ବ୍ରହ୍ମପୁର, 0୫l0୩ : ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧0୭ତମ ଜୟନ୍ତୀ ସମାରୋହ ଉତ୍କଳ ଆଶ୍ରମ ମୁକ୍ତମଞ୍ଚରେ ଏକ ଭବ୍ୟ ଭାବ ଗମ୍ଭୀର ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ରାଷ୍ଟ୍ର ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l
କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି, ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପ୍ରାକ୍ତନ ବିଧାୟକ ତଥା ରାଜ୍ୟ ଯୋଜନା ଆୟୋଗର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ତୁମ୍ବନାଥ ପଣ୍ଡା ଓ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଜୁବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସଂଗେ ସଂଗେ ଏହି ମହାନ୍ ବରପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମସ୍ତ ଅତିଥି ଭାବପୂର୍ଣ୍ଣ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
କଳିଙ୍ଗ ସାହିତ୍ୟ ସମାଜ ପ୍ରାୟୋଜିତ ଜୟନ୍ତୀ ସମାରୋହ ଅବସରରେ ଓଡ଼ିଶାର ବିଶିଷ୍ଟ ପ୍ରଶାସକ, ସାହିତ୍ୟିକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାସଙ୍କୁ ଉପଢୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l କଳିଙ୍ଗ ସାହିତ୍ୟ ସମାଜର ଅନ୍ୟତମ ଶାଖା ଦକ୍ଷିଣ ଓଡ଼ିଶା ଗବେଷଣା ଓ ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରକାଶିତ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ଡ. ହୃଷୀକେଶ ପଣ୍ଡାଙ୍କ ଦ୍ୱାରା ଲିଖିତ ‘ବସୁନ୍ଧରାର ବରପୁତ୍ର : ବିଜୁ ପଟ୍ଟନାୟକ’ ଶୀର୍ଷକ ପୁସ୍ତିକା ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l
ପ୍ରାରମ୍ଭରେ ଡ. ହୃଷୀକେଶ ପଣ୍ଡା ପ୍ରାକ୍-ସୂଚନା ଓ ପରିଚୟ ପ୍ରଦାନ କରିଥିବା ବେଳେ ଡ. କୁଳମଣି ଓଝା ବୈଦିକ ମନ୍ତ୍ରୋଚ୍ଚାରଣ ସହ ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜର ସମ୍ପାଦକ ଡ. ଶରତ କୁମାର ଜେନାଙ୍କ ସଂଯୋଜନାରେ ସଂଚାଳିତ ଏହି କାର୍ଯ୍ୟକ୍ରମକୁ ସାକାର କରିବା ଦିଗରେ ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଲବ, ନଳିନୀକାନ୍ତ ଗୌଡ଼ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *