ରାଜ୍ୟ

ଆଜିଠୁ ‘କଟକ ବାଲିଯାତ୍ରା’: ୮ ଦେଶର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ‌ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଇତିମଧ୍ୟରେ ଚୂଡ଼ାନ୍ତ ହୋଇଛି। ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଆଉ ନୂଆ କଥା ଯୋଡ଼ା ହୋଇଛି। ‌ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେବେ। 

ଏଥିସହ ପ୍ରଥମଥର ପାଇଁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍‌ କରାଯାଇଥିବାବେଳେ ଓଡ଼ିଆ ଅସ୍ମିତାକୁ ନେଇ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍‌-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଫିଲ୍ମ ଫେଷ୍ଟିଭାଲ, ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ୍‌ ସୋ, ପିଠା ମହୋତ୍ସବ, ଓରମାସ୍‌ର ସ୍ବତନ୍ତ୍ର ଷ୍ଟଲ୍‌ ସହ ପ୍ରଥମ ଥର ପାଇଁ କଟକ ମାଟିରେ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହେବାକୁ ଯାଉଛି। ଏହା ସହିତ ଏଥର ବାଲିଯାତ୍ରାର ଆକର୍ଷଣ ହେବାକୁ ଯାଉଛି ବଲିଉଡ୍‌, ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ। ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳାରେ ଉଭୟ ପଡ଼ିଆରେ ଏଥର ୨୫ଶହ ଷ୍ଟଲ୍‌ ଖୋଲାଯାଇଛି। ସେଥିମଧ୍ୟରୁ ଓର୍‌ମାସ୍‌ର ରହିଛି ୫୦୦ ଷ୍ଟଲ। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ଓର୍‌ମାସ୍‌ରେ ଅଗ୍ରାଧିକାର ଦିଆଯାଇଛି। ଓର୍‌ମାସ୍‌ରେ ପିଠା ମହୋତ୍ସବ, ମାଟିପାତ୍ର ତିଆରି ଓ ତନ୍ତବୁଣା ଆଦି ମଧ୍ୟ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଚଳିତଥର ୭ଟି ଅନ୍ତର୍ଜାତୀୟ ଷ୍ଟଲ୍‌ ମଧ୍ୟ ସ୍ଥାନ ପାଇଛି।

 ବାଲିଯାତ୍ରାରେ ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଚଳିତଥର ତଳ ପଡ଼ିଆରେ ୩ଟି ମୁଖ୍ୟ ପ୍ରବେଶ ଦ୍ୱାର, ଗୋଟିଏ ଜରୁରିକାଳୀନ ପ୍ରବେଶ/ପ୍ରସ୍ଥାନ ଦ୍ୱାର ଖୋଲାଯିବା ସହ ପଡ଼ିଆ ମଧ୍ୟରେ ଗମନାଗମନ ନିମନ୍ତେ ୪ଟି ରାସ୍ତା କରାଯାଇଛି। ଏଥିସହ ରାସ୍ତା କଡ଼ରେ ଉଠାଦୋକାନୀମାନଙ୍କୁ ବ୍ୟବସାୟ ପାଇଁ ବାରଣ କରାଯାଇଛି। ଧୂଳି ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ମିଶ୍ରଣ ସ୍ପ୍ରେ କରାଯାଉଛି। ସେହିଭଳି ପାଣି ପରଦାରେ ଲେଜର ସୋ, ଡ୍ରୋନ୍ ସୋ, ଗୁଡ଼ି ଉତ୍ସବ ଆଦି ବ୍ୟବସ୍ଥା କରାଯାଇଛି। ପଡ଼ିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ୩୮୫ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଇ-ରିକ୍ସା ବ୍ୟବସ୍ଥା କରାଯାଇଛି। ପଡ଼ିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ନଈକୂଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଛି। ବାଲିଯାତ୍ରା ପ୍ରଥମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ବାଲି, ଇଣ୍ଡୋନେସିଆ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସଂଧ୍ୟା ମଧ୍ୟ ଉଦ୍‌ଘାଟନୀ ଉତ୍ସବର ଅନ୍ୟତମ ଆକର୍ଷଣ ରହିଛି। ଅନ୍ୟପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ ପଙ୍କଜ ଜାଲ ଓ ତାଙ୍କ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ।

Leave a Reply

Your email address will not be published. Required fields are marked *