ରାଜ୍ୟ

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: ହାଇକୋର୍ଟରେ ହାଜର ହେବେ ଓପିଏସସି ସଚିବ

କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଉପରେ ଆଜି ହାଇକୋର୍ଟ ବର୍ଷିଛନ୍ତି। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ସଂଶୋଧିତ ମେଧା ତାଲିକା ଓପିଏସସି ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁଭଳି ଢଙ୍ଗରେ ଓପିଏସସି ତରଫରୁ ଏହି  ମାମଲା ପରିଚାଳନା କରାଯାଉଛି ତାହା ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ କଣ ସଂଶୋଧିତ ମେଧା ତାଲିକା ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇ ନାହିଁ। ଏଭଳି ସ୍ଥିତିରେ ନଭେମ୍ବର ୨୫ରେ ଓପିଏସସି ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ କହିଛନ୍ତି। ସମଗ୍ର ସଂଶୋଧିତ ମେଧା ତାଲକା ସହିତ ସଚିବ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସସି ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭-୧୮ରେ ଓପିଏସ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍‌ ସର୍ଭିସେସ୍ (ଡେଣ୍ଟାଲ୍‌) କ୍ୟାଡର୍‌ ଗ୍ରୁପ-କ(ଜୁନିୟର୍‌) ଡେଣ୍ଟାଲ୍‌ ସର୍ଜନ୍‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ୧୯୮ଟି ଡେଣ୍ଟାଲ୍‌ ସର୍ଜନ୍‌ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୧୭୧ଜଣ ପ୍ରାର୍ଥୀଙ୍କ ନାଁ ଓପିଏସ୍‌ସି ୨୦୧୮, ଅଗଷ୍ଟ ୯ରେ ସୁପାରିସ କରିଥିଲା। ଓପିଏସ୍‌ସି ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ୍‌ ସର୍ଜନ୍‌ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (କି ଆନସାର୍‌) ଭୁଲ୍‌ ଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *