ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା ନେଲା ନୂଆ ମୋଡ଼
ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ମାମଲା ନୂଆ ମୋଡ଼ ନେଇଛି। ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ ପରେ ନିଯୁକ୍ତି ପରୀକ୍ଷାରେ ଅଧିକ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ବେଳେ କମ୍ ମାର୍କ ରଖିଥିବା ୧୧ ଜଣ ପ୍ରାର୍ଥୀ ନିଯୁକ୍ତି ପାଇ ଡେଣ୍ଟାଲ୍ ସର୍ଜନ୍ ଭାବେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଥିଲା। ସଂଶୋଧନ ପରେ ଧାର୍ଯ୍ୟ କଟ୍-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିଲେ ମଧ୍ୟ ଚାକିରି ପାଇ କାର୍ଯ୍ୟ କରୁଥିବା ଏହି ୧୧ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ସଂପର୍କିତ ପରାମର୍ଶ ଓ ପୂର୍ବ ଅନୁମୋଦନ ପ୍ରତ୍ୟାହାର ପାଇଁ ଅନୁମତି ଲୋଡ଼ି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଛି।ଆଜି ମାମଲାର ଶୁଣାଣି ସମୟରେ ଓପିଏସସି ସଚିବ ସତ୍ୟବ୍ରତ ରାୟ ବ୍ୟକ୍ତିଗତ ଭାବେ ହାଜର ହୋଇ ଦର୍ଶାଇଥିଲେ ଯେ ନଭେମ୍ବର ୨୫ର ନିର୍ଦ୍ଦେଶ ପାଳନ କରି ସଂଶୋଧିତ ମେଧା ତାଲିକା ୱେବସାଇଟରେ ପ୍ରକାଶ କରାଯାଇଛି। ଇଣ୍ଟରଭେନରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପ୍ରଥମେ ପ୍ରକାଶିତ ମେଧା ତାଲିକା ଆଧାରରେ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନିଯୁକ୍ତିପତ୍ରରେ କେଉଁ ସ୍ଥାନରେ ଅଦାଲତରେ ବିଚାରାଧୀନ ମାମଲା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନଥିଲା ବୋଲି ଇଣ୍ଟରଭେନରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ଓପିଏସସି ଅନୁମୋଦନ ଆଧାରରେ ଡେଣ୍ଟାଲ ସର୍ଜନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସଂପର୍କିତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିଲା। ଡିସେମ୍ବର ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।