୩ରେ ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ଜାମିନ ଆବେଦନର ଶୁଣାଣି
ଚଟ୍ଟଗ୍ରାମ: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସତ୍ତ୍ବ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।
ଚଟ୍ଟଗ୍ରାମ ମେଟ୍ରୋପଲିଟାନ ପୋଲିସର ଅତିରିକ୍ତ ଡେପୁଟି କମିଶନର ମୋଫିଜ ୟୁର ରେହମାନ ଜାମିନ ଶୁଣାଣି ବିଷୟରେ ସୂଚନା ଦେଇଛନ୍ତି । ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର କୋର୍ଟ ଶୁଣାଣି କରିବେ ବୋଲି ମୋଫିଜ୍ ସୂଚନା ଦେଇଛନ୍ତି। ମେଟ୍ରୋପଲିଟାନ ସେସନ୍ ଜଜ୍ ମହମ୍ମଦ ସୈଫ୍-ଉଲ୍-ଇସଲାମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।ଚିଟଗୋଙ୍ଗର ଅଦାଲତର ଜଣେ ଅଧିକାରୀ କହିଛନ୍ତି ଯେ ଶୁଣାଣି ତାରିଖ ପୂର୍ବରୁ ସ୍ଥିର ହୋଇସାରିଛି। କିନ୍ତୁ ବୁଧବାର ଓ ଗୁରୁବାର ଓକିଲଙ୍କ ଧର୍ମଘଟ ଯୋଗୁଁ ଘୋଷଣାରେ ବିଳମ୍ବ ହୋଇଥିଲା। ଡିସେମ୍ବର ୩ତାରିଖରେ ଶୁଣାଣି ହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଚିନ୍ମୟ ଦାସଙ୍କୁ ସୋମବାର ଗିରଫ କରାଯାଇଛି ।