ଅବ୍ୟବସ୍ଥା ମଧ୍ଯରେ ଗଞ୍ଜାମର ସରକାରୀ ସ୍କୁଲ।
ବ୍ରହ୍ମପୁର, 03-12
ରାଜ୍ୟରେ ଗଞ୍ଜାମ ଜିଲ୍ଲା ସମସ୍ତ କ୍ଷେତ୍ରରେ ପଛରେ ପଡି ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି।ବିଶେଷ କରି ସ୍କୁଲ ଶିକ୍ଷା କ୍ଷେତ୍ରରେ ସମଗ୍ର ଜିଲ୍ଲାର ବିକଳ ଅବସ୍ଥାକୁ ଦୃଷ୍ଟିପାତ କଲେ ଜଣାଯାଏ ବାସ୍ତବ ଚିତ୍ର। କେଉଁଠି ବିଦ୍ୟାଳୟର ଗୃହର ଅଭାବ ତ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବ୍ଯବସ୍ଥାରେ ବିପର୍ଯ୍ୟୟ ଅବସ୍ଥା ସୃଷ୍ଟି ହୋଇଛି।ଅନ୍ଯମାନଙ୍କ ସହ ଶିକ୍ଷାଧିକାରୀଙ୍କ ମେରୀରାୟ ଶାସନ,ଶିକ୍ଷକ ମାନଙ୍କର ବିଭିନ୍ନ ବ୍ଯକ୍ତିଗତ ସମସ୍ଯା ସମାଧାନ କରିବା ପାଇଁ ଉତ୍କୋଚ ଆଦାୟ ,ଅନ୍ୟଥା ନାନା ଆଳରେ ହଇରାଣ କରିବା ,ଏଭଳିକି ଚାକିରୀରୁ ବହିଷ୍କାର କରିବା ଭଳି ଅମାନବୀୟ କାର୍ଯ୍ଯକଳାପ ମଧ୍ଯ ଦୃଷ୍ଟି ଗୋଚର ହେଉଥିବା ଘଟଣାରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ପ୍ରତିବାଦ କରିଛି।ଏ ଭଳିକି ରାଜ୍ଯ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତ ଜନ ପ୍ରତିନିଧି ଏବଂ କମିଶନରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଗଞ୍ଜାମର ଶିକ୍ଷା ବ୍ଯବସ୍ଥା ବିଷୟରେ ଅବଗତ କରାଯାଇଥିଲେ ମଧ୍ଯ କୌଣସି ତଦନ୍ତ ଏଯାବତ୍ ହୋଇନାହିଁ।ପେନସନ୍ ମଞ୍ଜୁରୀ,ଛୁଟି ମଞ୍ଜୁର, ଜି ପି ଏଫ୍ ମଞ୍ଜୁର ,ଏମ୍ ଏସ୍ ପି ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥହିଁ ଏକ ମାତ୍ର ମାଧ୍ୟମ। ଶିକ୍ଷକ ସଂଗଠନ ଗୁଡିକର ସାଂଗଠନିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାର ସୁଯୋଗ ନେଇ ଦପ୍ତର ମାଲିକ ମାନେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ଯା ସମାଧାନ ପାଇଁ ଉତ୍କୋଚ ଦାବି କରିବା ଏକ ନିତିଦିନିଆ ଘଟଣା ହୋଇଯାଇଛି।ଏପରି ତଥାକଥିତ ସଂଘୀୟ କର୍ମକର୍ତ୍ତାଙ୍କୁ ବେଖାତିର ଏବଂ ଅବାଞ୍ଛିତ ମନ୍ତବ୍ଯ ପ୍ରଦାନ କରୁଥିବା ବିଷୟ ଶିକ୍ଷକ ମାନଙ୍କ ମଧ୍ଯରେ ଗୁଞ୍ଜରଣ ସୃଷ୍ଟି ହେଉଛି ଏବଂ ଅର୍ଥ ହିଁ ଏକମାତ୍ର ମାଧ୍ୟମ ସମସ୍ଯା ସମାଧାନର ବୋଲି ଧରି ନେଇଛନ୍ତି।ଏ ଦିଗରେ ଖୋଦ୍ ଶିକ୍ଷାଧିକାରୀଙ୍କ ସଂପୃକ୍ତି ଥିବା ଏବଂ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରତି ଘଣ୍ଟ ଘୋଡ଼ାଇ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ଯା ସମାଧାନ କରିବାରେ ଅନ୍ତରାୟ ସୃଷ୍ଟି କରୁଥିବା ଏକ ନିତିଦିନିଆ ଦିନିଆ ଘଟଣା ହୋଇ ଯାଇଛି।
ଅନ୍ଯ ଦିଗରେ ବିଦ୍ୟାଳୟ ଗୁଡିକରେ ଅବସର ଜନିତ ଶୁନ୍ଯତା ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଅତିଥି ଶିକ୍ଷକ ନିଯୁକ୍ତରେ ଟାଳଟୁଳ ନୀତି ଅବଲମ୍ବନ କରା ଯାଉଛି।ପେନସନ ଜନିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂପୃକ୍ତ ଦପ୍ତର ଶିକ୍ଷକ ମାନଙ୍କୁ ହଇରାଣ କରୁଥିବା ତଥ୍ଯ ଶିକ୍ଷା ବଞ୍ଚାଅ ଅଭିଯାନର ଦୃଷ୍ଟିକୁ ଆସିଛି।ଏପରିକି ମାନ୍ଯବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ଯକାରୀ କରାଯିବାରେ ଜିଲ୍ଲା କାର୍ଯାଳୟର ଭୃକ୍ଷେପ ନାହିଁ।କିଛି ବି.ଇ.ଓ,କର୍ମଚାରୀ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଗିରଫ ହେବା ଘଟଣାରେ ଜିଲ୍ଲାର ଶିକ୍ଷା ବିଭାଗର ସ୍ଥିତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି।ରେଳଗାଡିର ଗତି ଓ ପ୍ରଗତି ଯେଭଳି ଇଞ୍ଜିନ୍ ର ସ୍ଥିତି ଉପରେ ନିର୍ଭରଶୀଳ ତଦନୁରୂପେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯକଳାପ ଉପରେ ଜିଲ୍ଲାର ବିଦ୍ୟାଳୟ ସ୍ଥିତି ନିର୍ଭର କରେ।ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଅନେକ ଆଦର୍ଶ, ସ୍ବଚ୍ଛ ଓ ଶିକ୍ଷକ ପ୍ରେମୀ ଶିକ୍ଷାଧିକାରୀ ସୁନାମ ବହନ କରି ପ୍ରାତଃସ୍ମରଣୀୟ ହୋଇ ଛନ୍ତି।କତିପୟ ଶିକ୍ଷାଧିକାରୀ ନିଜର ଅଗଣତାନ୍ତ୍ରିକ, ଶିକ୍ଷକ ବିରୋଧୀ ତଥା ଦୁର୍ନୀତିଗ୍ରସ୍ତ ହୋଇ ଶିକ୍ଷକ ସଂଗଠନର ଆକ୍ରୋଶର ଶିକାର ହୋଇ ଦୁର୍ନାମ ବହି ବିଦାୟ ନେଇଛନ୍ତି ଏପରିକି ଜନୈକ ଶିକ୍ଷାଧିକାରୀ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର କରି ମାନ୍ୟବର କୋର୍ଟ ଦ୍ବାରା ଭର୍ତ୍ସିତ ହୋଇଛନ୍ତି ଏବଂ ଏ ଯାବତ ତାଙ୍କର ବିରୁଦ୍ଧରେ ମକଦ୍ଦମା ବିଚାର ଚାଲିଛି।ଅନ୍ୟ ଜଣେ ଶିକ୍ଷାଧିକାରୀଙ୍କ ଦୁର୍ବ୍ୟବହାର ଏବଂ ଉତ୍କୋଚ ଦାବି କରିବା ଯୋଗୁଁ ଶାରୀରିକ ଆକ୍ରମଣ ଶିକାର ହୋଇଛନ୍ତି ଏବଂ ଉକ୍ତ ମାମଲା ମଧ୍ଯ କୋର୍ଟରେ ବିଚାର ଚାଲିଛି।ଗଞ୍ଜାମ ଜିଲ୍ଲାର ଶିକ୍ଷା ବିଭାଗ ଏକ ଚରା ଭୂମି ଭାବି ଶିକ୍ଷକ ମାନଙ୍କୁ ହଇରାଣ କରିବା ଏବଂ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ କରିବାକୁ ଅପଚେଷ୍ଟା କରିବାରୁ ଶିକ୍ଷାଧିକାରୀ ଓ ତାଙ୍କର ଦପ୍ତର କ୍ଷାନ୍ତ ନ ରହିଲେ ଗଞ୍ଜାମ ଜିଲ୍ଲାର ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ,ଶିକ୍ଷାପ୍ରେମା ଜନସାଧାରଣଙ୍କୁ ନେଇ ଏକ ବିରାଟ ଜନ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସଭାପତି ରବି ରଥ,କାର୍ଯ୍ଯକାରୀ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ସାଧାରଣ ସମ୍ପାଦକ କାମରାଜୁ ମହାରଣାଙ୍କ ସମେତ ଶ୍ଯାମସୁନ୍ଦର ଖାଡ଼ଙ୍ଗା,ଅଶୋକ ଦଳେଇ, ମାନସ ରଂଜନ ତ୍ରିପାଠୀ,ରଂଜନ କୁମାର ସାହୁ,ସୁଶାନ୍ତ କର, ରାମକୃଷ୍ଣ ପାତ୍ର ପ୍ରମୁଖ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଚେତାବନି ଦେଇଛନ୍ତି।