କିଶୋରନଗର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା
ଅନୁଗୋଳ:-ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ କିଶୋରନଗର ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କିଶୋରନଗର ବ୍ଲକର ୭ଟି ଉଚ୍ଚ ବିଦ୍ୟାଳୟର ଶକ୍ତି କ୍ଲବ ଅନ୍ତର୍ଗତ ୬୧ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରଣିଆକଟାର ଦଶମଶ୍ରେଣୀର ଛାତ୍ର ନିଗମାନନ୍ଦ ସାହୁ ପ୍ରଥମ , ଉରୁକୁଳା ଗ୍ରାମ ପଞ୍ଚାୟତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଆଦର୍ଶ ସାହୁ ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଣିଆକଟାର ଦଶମଶ୍ରେଣୀ ଛାତ୍ର ଆୟୁଷ ମେଣ୍ଡୁଲି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ଏହି ଅବସରରେ କିଶୋରନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଣିଆକଟାର ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ, ଉରୁକୁଳା ଗ୍ରାମ ପଞ୍ଚାୟତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଜନୀକାନ୍ତ ଦେହୁରୀ ଓ ନତଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ଜାଗ୍ରତ କୁମାର ସ୍ବାଇଁ, ସୁନୀଲ ଦଳାଇ, ଚିନ୍ମୟ ଧରୁଆ , ସୁଧୀର କୁମାରଦାର ଓ ଶିକ୍ଷୟିତ୍ରୀ ପ୍ରମୋଦିନୀ ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।