ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଉଦ୍ୟମ; ଗଠନ ହେବ ଟାସ୍କ ଫୋର୍ସ
ଭୁବନେଶ୍ୱର: ଆସିକା ଚିନିକଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଚିନି କଳ ଏକ ପୁରାତନ ଚିନି କଳ। ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି। ତେଣୁ, ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବା ପରେ ଏହାର ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ।