ରାଜ୍ୟର ଶିକ୍ଷା ପରିବେଶକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି’
ଭୁବନେଶ୍ବର: ଜ୍ଞାନ ହିଁ ଶକ୍ତି। ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ। ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା। ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ। ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ ୧୬,୦୦୯ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଖବର ପଢ଼ନ୍ତୁ: ରାହୁଲଙ୍କ ଦାୟିତ୍ବହୀନ ଆଚରଣ ନିନ୍ଦନୀୟ
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶ ତଥା ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତବାର୍ଷିକୀ ପାଳନ କରୁଥିବା ବେଳେ, ଏହି ଐତିହାସିକ ଅନୁଷ୍ଠାନ ମଧ୍ୟ ତା’ର ୭୫ତମ ସ୍ବନକ୍ଷେତ୍ର ପାଳନ କରୁଛି। ଏହି ବିଦ୍ୟାଳୟ ନିରନ୍ତର ଭାବେ ଚମ୍ପୁଆ ଉପଖଣ୍ଡ, ସୀମନ୍ତ ଝାଡଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କୁ ପାଇଁ ଗଢ଼ି ତୋଳିବା ସହିତ ଶିକ୍ଷାର ଆଲୋକବର୍ତ୍ତିକା ହୋଇ କାର୍ଯ୍ୟ କରୁଛି।