ରାଜ୍ୟ

ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା

ଭୁବନେଶ୍ବର/ଭଂଜନଗର: ଭାରତୀୟ ରାଜନୀତିରେ ଅନ୍ୟତମ ବଳିଷ୍ଠ ଆଞ୍ଚଳିକ ଦଳ ‘ବିଜୁ ଜନତା ଦଳ’ ଆଉ ଆଗ ଭଳି ସ୍ଥିତିରେ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିଗତ ୨୮ ବର୍ଷ ମଧ୍ୟରେ ଯାହା ଦେଖାଯାଇ ନଥିଲା, ତାହା ଆଜି ଦୃଶ୍ୟମାନ ହୋଇଛି। ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’ ଦଳୀୟ କର୍ମୀମାନେ ହାତାହାତି ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାଙ୍କ ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ ଏହା ନିୟନ୍ତ୍ରଣକୁ ଆସିବା ପୂର୍ବରୁ ଗଣମାଧ୍ୟମକୁ ଭିଡିଓ ଆସିଛି। କଥା ଏତିକିରେ ଅଟକି ନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମର ଭଂଜନଗର ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିଛନ୍ତି। ଭଂଜନଗନର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ଶଙ୍ଖଭବନରେ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଆକ୍ରମଣ ହୋଇଛି। ତାଙ୍କୁ ଜଣେ ମହିଳା କର୍ମୀ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି। ଏହି ସମୟରେ ଶହଶହ କର୍ମୀ ଉପସ୍ଥିତ ଥିଲେ। କୌଣସି କଥାକୁ ନେଇ ଜଣେ କର୍ମୀ ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାରିଥିଲେ। ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଜଣାପଡିନାହିଁ। ଏହି ଅପ୍ରୀତିକର ଘଟଣା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। 

Leave a Reply

Your email address will not be published. Required fields are marked *