ଆଉ ଭୟ ନାହିଁ: ନକ୍ସଲଙ୍କ କାର୍ଯ୍ୟାଳୟ ବୁଲିଲେ ଉପଜିଲ୍ଲାପାଳ
ଦିନ ଥିଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳ ନକ୍ସଲଙ୍କର ଗଡ଼ ଏବଂ କାର୍ଯ୍ୟାଳୟରେ ପରିଣତ ହୋଇଥିଲା। କେନ୍ଦ୍ରୀୟ କମିଟିର ସମସ୍ତ ମେମ୍ବର ଏଠାରେ ସୁରକ୍ଷିତ ଭାବେ ରହିବା ସହ ନିଜର ଯୋଜନା ପ୍ରସ୍ତୁତ କରୁଥିଲେ। ସ୍ବାଭିମାନ ଅଂଚଳର ଯଡାମ୍ବରେ ରହିଥିବା ମାଓ କାର୍ଯ୍ୟାଳୟ ଏହାର ଉଦାହରଣ। ଏଠାରେ ହିଁ ହେଉଥିବା ସମସ୍ତ ଆକ୍ରମଣର ବ୍ଲୁପ୍ରିଣ୍ଟ। ସରକାରୀ ବାବୁମାନେ କେବଳ ଚିତ୍ରକୋଣ୍ଡାକୁ ହିଁ ଆସିପାରୁଥିଲେ। କିନ୍ତୁ ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତକୁ ଯିବାକୁ ଭୟ କରୁଥିଲେ। ପ୍ରତି ମୂର୍ତ୍ତରେ ବିପଦ ରହିଥିବାରୁ ଏହି ବ୍ଲକ ସରକାରୀ ଯୋଜନା ଠାରୁ ବହୁ ଦୁରରେ ରହିଥିଲା।ଏହି ପରିପ୍ରେକ୍ଷୀରେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଯଡାମ୍ବ ଗସ୍ତ କରିଥିବା ବେଳେ ନକ୍ସଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନକ୍ସଲଙ୍କର ବିଭିନ୍ନ ଫଟୋ ରହିଥିବା ସହ କିପରି ଏଠାରେ ନକ୍ସଲ ରହୁଥିଲେ ସେ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଥିଲେ। ଯଡାମ୍ବ ଅଂଚଳରେ ପୁଲିସ ଥାନା ପ୍ରତିଷ୍ଠା ହେବା ସହ ବିଏସଏଫ କ୍ୟାମ୍ପ ରହିଥିବାରୁ ଏହି ଅଂଚଳର ଲୋକେ ବେଶ ସୁରକ୍ଷିତ ରହିଛନ୍ତି। ତେଣୁ ଉପଜିଲ୍ଲାପାଳ ଶ୍ରୀ ଭୋଇ ମଧ୍ୟ ସ୍ବଚ୍ଛନ୍ଦରେ ଏହି ଅଂଚଳକୁ ଗସ୍ତ କରି ଏଠାରେ ଚାଲୁଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଇତିହାସ ପାଲଟିଥିବା ଏହି ଅଂଚଳର ବହୁ ଖବର ନିଜ ପାଖେ ସ୍ମୃତି କରି ରଖିଲେ। ଯାହା ଆଗାମୀ ଦିନରେ ଅନ୍ୟକୁ ସ୍ବାଭିମାନ ଅଂଚଳର କାହାଣୀ କହିବା ବେଳେ ଏସବୁ ସ୍ମୃତି ବଖାଣିବେ।