ରାଜ୍ୟ

ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ଶେଷ ହେବାକୁ ଯାଉଛି। ଆଉ ୪ ଦିନ ପରେ ଚଳିତ ବର୍ଷ ଇତିହାସ ପାଲଟିବ। ବର୍ଷ ଶେଷ ହେବା ପୂର୍ବରୁ ଚାଷୀମାନେ ବ୍ୟାପକ ହଇରାଣ ହୋଇଛନ୍ତି। ଗତ ୧୭ ତାରିଖ ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାରୁ ଚାଷୀକୁଳ ନାହିଁ ନଥିବା କଷ୍ଟ ଭୋଗିଛନ୍ତି। ଫସଲ ଅମଳ ଓ ଧାନ ବିକ୍ରି ସମୟ ଥିବା ଯୋଗୁଁ ମଣ୍ଡି ଓ କ୍ଷେତରେ ବ୍ୟାପକ ଧାନ ପଡ଼ି ରହିଛି। ଡିସେମ୍ବର ୧୫ ତାରିଖ ପରଠାରୁ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟ (୧୭ରୁ ୨୧ ଓ ୨୩ରୁ ୨୫)ରେ ବର୍ଷା ହୋଇଛି। ଏହାରି ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ପୁଣି ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି (ଶନିବାର) ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶନିବାର ଦିନ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୨୯ ତାରିଖ (ରବିବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ହୋଇପାରେ। ଏହା ପରଠାରୁ ପାଗ ଶୁଖିଲା ରହିବ। ବର୍ଷା ସରିବା ପରେ ପ୍ରବଳ ଶୀତ ହୋଇପାରେ। ଡିସେମ୍ବର ୩୦ ତାରିଖ ଠାରୁ ଶୀତ ବଢ଼ିଲା ପରେ ନୂଆବର୍ଷ ବେଳକୁ ପାରଦ ନିମ୍ନଗାମୀ ହେବାର ସମ୍ଭାବନା ରହିଛି। 

Leave a Reply

Your email address will not be published. Required fields are marked *