ଜୀବନ ହାରିଥିବା ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବାଲିକୁଦା: ଆତ୍ମହତ୍ୟା କରିଥିବା ଚାଷୀ କୃତିବାସ ସ୍ବାଇଁଙ୍କ ପରିବାରକୁ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ସମୟରେ ତାଙ୍କ ସହ ବିଧାୟକ ରମାକାନ୍ତ ଭୋଇ ଓ ଶାରଦା ପ୍ରସନ୍ନ ଜେନା ବି ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଧାନକ୍ଷେତରେ ବ୍ୟାପକ ଫସଲ ନଷ୍ଟ ଦେଖି ରଶି ଲଗାଇ ଝୁଲି ପଡ଼ିଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତଣ୍ଡିକୂଳ ପଞ୍ଚାୟତ ସାରଣା ଗାଁର କୃତିବାସ ସ୍ବାଇଁ(୩୫) | ଚାଷ ନଷ୍ଟ ଓ ଋଣ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି |
କୃତିବାସଙ୍କ ସମ୍ପର୍କୀୟ ମାମୁଁ ବିପିନ ରାଉତଙ୍କ ସୂଚନା ଅନୁସାରେ, ସେ ପ୍ରାୟ ସାଢେ ୪ ଏକର ଜମିରେ ଚାଷ ଧାନ ଚାଷ କରିଥିଲେ | ନିଜର ପ୍ରାୟ ୩ ଏକର ଓ ଦେଢ ଏକର ଭାଗରେ ଜମି ଚାଷ କରିଥିଲେ | ଏ ବର୍ଷ ଭଲ ଧାନ ମଧ୍ୟ ହୋଇଥିଲା | କୃତିବାସ ପ୍ରାୟ ଦେଢ ଏକର ଧାନ କାଟି କ୍ଷେତରେ ଗଦା କରିଥିଲେ | ଅଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଥିଲା | କୃତିବାସ ଗତ କିଛି ଦିନ ହେଲା ଚାଷ ଜମିକୁ ଯାଉଥିଲେ ଓ ମନଦୁଃଖରେ ଫେରୁଥିଲେ | ଏପରିକି ସବୁ ସରିଗଲା ବୋଲି ପରିବାର ଲୋକଙ୍କୁ କହୁଥିଲେ | ଆଉ କାହିଁକି ବଞ୍ଚିବି ବୋଲି ଘର ଲୋକଙ୍କୁ କହୁଥିବା ମାମୁଁ ବିପିନ କହିଛନ୍ତି |