ପାଣିକୋଇଲି ଗୁଳିମାଡ଼ ଘଟଣା: ଡାକ୍ତରଖାନାରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ
ଜିଲ୍ଲାର ପାଣିକୋଇଲି ବଜାରରେ ଆଜି ଅପରାହ୍ଣରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସୁନା ଦୋକାନ କର୍ମଚାରୀ ସୁନୀଲ ରାୟ। ଏଥି ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ପୂର୍ବରୁ ନୀଳମାଧବ ପଣ୍ଡା ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କର ଦ୍ବାରା ଆକ୍ରୋଶର ଶିକାର ହୋଇଥିବା ଜଣେ ଲୁଟେରାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣ ପାଣିକୋଇଲି ବଜାରସ୍ଥିତ ଏକ ସୁନା ଦୋକାନକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ। ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସିଥିଲେ। ଦୋକାନ ସାମ୍ନାରେ ବାଇକ୍ ରଖିଥିଲେ। ଏହା ପରେ ସୁନାଦୋକାନରୁ ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଥି ପାଇଁ ସେମାନେ ଗୁଳିମାଡ଼ କରିଥିଲେ। ଏହି ଗୁଳି ଟାଟା କଂପାନିର ବିଦ୍ୟୁତ ଯୋଗାଣ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ନୀଳମାଧବ ପଣ୍ଡା ଓ ସୁନା ଦୋକାନରେ କାର୍ଯ୍ୟରତ କର୍ମଚାରୀ ସୁନୀଲ ରାୟଙ୍କ ଦେହରେ ବାଜିଥିଲା। ଉଭୟ ନୀଳମାଧବ ଓ ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ନୀଳମାଧବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।