ହ୍ରାସ ପାଇବ ଦୁର୍ଘଟଣା: ୪ଥାକିଆ ହେବ ଦୁଆରଶୁଣି ଘାଟି ରାସ୍ତା
ବାଙ୍ଗିରିପୋଷି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ କାଳରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପୁଣି ଏହି ଅଞ୍ଚଳବାସୀଙ୍କ ପାଇଁ ଭଲ ଖବର ଆସିଛି। ବଡ଼ବଡ଼ ସଡ଼କ ଦୁର୍ଘଟଣା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦ୍ବାରଶୁଣି ଘାଟି ରାସ୍ତାର ନବକଳବର ହେବ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ଦୁର୍ଘଟଣା ହ୍ରାସ ପାଇବାର ଆଶଙ୍କା ଦେଖାଯାଉଛି।ଦ୍ବାରଶୁଣି ଘାଟିରାସ୍ତାର ୯.୧୯୮କିମିର ବେଶୀ ଚିନ୍ତାଜନକ ଥିବା ବେଳେ ଏହାକୁ କେନ୍ଦ୍ର ସରକାର ୪ଥାକିଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏଥିପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଜାନୁଆରି ତିନି ତାରିଖଠାରୁ ଫେବ୍ରୁଆରି ୧୯ ତାରିଖ ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଇଛି। ନିର୍ମାଣ କାମ ୨ ବର୍ଷ ୫ ମାସ ଭିତରେ ସାରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।