ରାଜ୍ୟ

ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ବୁଧବାର ସକାଳୁ ସକାଳୁ ଘଟିଥିବା ପୁଲିସ ମିତ୍ର ‘ସହଦେବ ନାୟକ‘ ହତ୍ୟାକାଣ୍ଡ ଘଟଣା ନେଇ କମିସନରେଟ୍‌ ପୁଲିସ ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ଏହି ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ନାୟକ, ତାର ସ୍ତ୍ରୀ ଲିପିକା ନାୟକ, ରକି ନାୟକ, ରାକେଶ ନାୟକ ଓ ତାର ସ୍ତ୍ରୀ ଲକ୍ଷ୍ମୀ ନାୟକ। ଲକ୍ଷ୍ମୀଧର ଓ ଲିପିକା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ହତ୍ୟାକାଣ୍ଡ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ସେହି ଉପରେ ଅଧିକ ତଦନ୍ତ ଜାରି ରଖିଛି। ଡିସିପି ଶ୍ରୀ ମିଶ୍ର କହିଛନ୍ତି, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବା ପାଇଁ ଗତ ୭ ତାରିଖ ଦିନ ଯୋଜନା କରିଥିଲେ। ଯୋଜନାର ୨୪ ଘଣ୍ଟା ନପୂରୁଣୁ ନିଜର ମିସନରେ ସଫଳ ହୋଇଥିଲେ। ସହଦେବଙ୍କୁ ହତ୍ୟା କରିବା ପାଇଁ ଘଟଣାସ୍ଥଳକୁ ୨ଟି ବାଇକ୍‌ରେ ଆସିଥିଲେ। ଗୋଟିଏ ବାଇକ୍‌ରେ ମୁଖ୍ୟ ଅଭିଯୁକ୍ତ ଦଂପତି ଥିବା ବେଳେ ଆଉ ‌ଗୋଟିଏ ବାଇକ୍‌ରେ ଅନ୍ୟ ୩ ଜଣ ଅଭିଯୁକ୍ତ ପହଞ୍ଚିଥିଲେ। ସେମାନେ ପୂର୍ବ ଯୋଜନା ଅନୁସାରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ୍, ୪ଟି ମୋବାଇଲ ଫୋନ୍ ଓ ୨ଟି ବ୍ୟାଗ୍ ମଧ୍ୟ ଜବତ କରିଛି। ଜବତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିପାରିବ।

Leave a Reply

Your email address will not be published. Required fields are marked *