ଶ୍ରୀମତୀ ପାରିଜାତ ଶତପଥୀ ଓ ହେନା ମହାପାତ୍ରଙ୍କୁ ରତ୍ନଶ୍ରୀ ପୁରସ୍କାର
ଭୁବନେଶ୍ୱର: ଯୋଗ ପର୍ଯ୍ୟାବରଣ ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀମତୀ ପାରିଜାତ ଶତପଥୀଙ୍କୁ ରତ୍ନଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ଶତପଥୀ ଉତ୍ତରପ୍ରଦେଶସ୍ଥିତ କୋରଖପୁରଠାରେ କାର୍ଯ୍ୟରତ ଉତ୍ତର-ପୂର୍ବ ରେଳ ବିଭାଗର ପ୍ରଧାନ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅନୁପ ଶତପଥୀଙ୍କ ଧର୍ମପତ୍ନୀ ଅଟନ୍ତି । ସେହିପରି ଶିକ୍ଷା, ବେଦବିଜ୍ଞାନ ପ୍ରଚାର ପ୍ରସାର କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଶ୍ରୀମତୀ ହେନା ମହାପାତ୍ରଙ୍କୁ ମଧ୍ୟ ରତ୍ନଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ମହାପାତ୍ର ମହର୍ଷି ପବ୍ଲିକ ସ୍କୁଲ ସମ୍ମୁହର ନିର୍ଦ୍ଦେଶିକା ଅଟନ୍ତି । ଭୁବନେଶ୍ୱରସ୍ଥିତ ମେ\’ଫେୟାର ହଲରେ ବିଶ୍ୱ ଓଡ଼ିଆ ସମାଜ ଦ୍ୱାରା ଅନୁଷ୍ଠିତ ଉତ୍କଳ ଉତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ସହରାଞ୍ଚଳ ବିକାଶ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓ ଶୋଭନୀୟ ଆନ୍ଦୋଳନର ଅଧ୍ୟକ୍ଷା ଡକ୍ଟର ଅରୁନ୍ଧତି ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭର୍ଚ୍ୟୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆମାନେ ଉଭୟ ଅପ୍ ଲାଇନ ଓ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିଲେ । ଓଡ଼ିଶାର ସମୃଦ୍ଧି ଓ ବିକାଶରେ ପ୍ରବାସୀ ଓଡ଼ିଆମାନଙ୍କ ଯୋଗଦାନ ତଥା ଓଡ଼ିଶା ଓ ଓଡ଼ିଶା ବାହାରେ କାର୍ଯ୍ୟରତ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ସୁଶ୍ରୀ କାବେରୀ ବେହେରା ତଥା ଅନ୍ୟାନ୍ୟ ସହଯୋଗୀମାନେ ପରିଚାଳନା କରିଥିôଲେ ।