ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ’
ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ। ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ। ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଆଜି ଓଡ଼ିଶା ମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ଖିଣ୍ଡା ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ। ଆଜି ଭଳି ପବିତ୍ର ଦିନରେ ମହାପୁରୁଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି। ୨୧୭ ବର୍ଷ ପୂର୍ବେ ଉନ୍ନବିଂଶ ଶତାବ୍ଦୀରେ ଏହି ଖିଣ୍ଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଯୁବାବସ୍ଥାରୁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ତାଙ୍କର ମାତୃଭୂମି ପ୍ରତି ଥିବା ଭଲ ପାଇବାକୁ ପ୍ରତିଫଳିତ କରୁଛି।