ବିଦ୍ୟାଳୟରେ ବ୍ୟାପିଲା ଝାଡ଼ାବାନ୍ତି, ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ
ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା କରିଛି। ଏହାପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବା ବେଳେ ଆଜି ପୁଣି ୫ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଖାତିଗୁଡା ଜବାହର ନବୋଦ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗତକାଲି ମଧ୍ୟାହ୍ନରେ ଖାଇ ସାରିବା ପରେ ଶତାଧିକ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏମଏଚୟୁ ଟିମ୍ର ଡା. ଅମରେଶ ମହାନ୍ତି, ଡା. ଶୁଭେନ୍ଦୁ ବାଗ, ଭେଷଜକ ରଶ୍ମିତା ପଲେଇ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ, ତପନ ରାଓ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଷମା ନାୟକ, ରତ୍ନ ମଞ୍ଜୁରୀ ମହାଳି ନବୋଦୟ ବିଦ୍ୟାଳୟରେ ପହଂଚିଥିଲେ।