ଦେଶ- ବିଦେଶ

ବିଦ୍ବେଷ ସୃଷ୍ଟିକାରୀ ଭାଷଣ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରିବା ଲାହୋର୍‌ରେ ପୁଲିସ ଟିମ୍‌

ନୂଆଦିଲ୍ଲୀ: ବିଦ୍ବେଷ ସୃଷ୍ଟିକାରୀ ଭାଷଣ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରିବା ଲାଗି କ୍ବେଟ୍ଟା ପୁଲିସ ଟିମ୍‌ ଲାହୋରରେ ପହଞ୍ଚିଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।

ସରକାରୀ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ‌ଜନତାଙ୍କୁ ମତାଇବା ମାମଲାରେ ଦକ୍ଷିଣପଶ୍ଚିମ ପାକିସ୍ତାନର ଏକ ଅଦାଲତ ଜାମିନବିହୀନ ପର୍‌ୱାନା ଜାରି କରିବାର ଦିନକ ପରେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ‘ତେହ୍‌ରୀକ୍‌-ଇ-ଇନ୍‌ସାଫ୍‌’ର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଅଟକ ରଖି ଅଦାଲତରେ ହାଜର କରିବା ଲାଗି ଅଦାଲତ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।‘ସିସିପିଓ’ ବିଲାଲ୍‌ ସିଦ୍ଦିକି କାମିୟାନା ସୁନିଶ୍ଚିତ କରି କହିଛନ୍ତି ଯେ, ଗିରଫ ପର୍‌ୱାନା ନେଇ ଯାଇଥିବା କ୍ବେଟ୍ଟା ପୁଲିସ ଟିମ୍‌ ଲାହୋର୍‌ରେ ପହଞ୍ଚିସାରିଛି। ଏହି ଟିମ୍‌ରେ ଅଛନ୍ତି ଏସ୍‌.ପି. ନଦୀମ ଅହମଦ୍‌, ଡିଏସ୍‌ପି ଅବ୍ଦୁଲ୍‌ ସତ୍ତାର୍‌ ଅଚକ୍‌ଜାଇ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ମାଲିକ୍ ହମୀଦ୍‌, ଦୁଇଜଣ ତାଲିମପ୍ରାପ୍ତ କମାଣ୍ଡୋ କାଇଜର୍‌ ଏବଂ ସୁଲ୍‌ତାନ୍‌ ଓ ଡ୍ରାଇଭର୍‌ ଇଲିୟାସ୍‌।

କିନ୍ତୁ, ଏପର୍ଯ୍ୟନ୍ତ କ୍ବେଟ୍ଟା ପୁଲିସ ଟିମ୍‌ ଲାହୋର୍‌ ପୁଲିସ ସହିତ କୌଣସି ଯୋଗାଯୋଗ କରି ନ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଇମ୍ରାନ୍‌ଙ୍କ ବାସଭବନରୁ ତାଙ୍କୁ ଗିରଫ କରିବା ପାଇଁ ପୁଲିସର ଖାମ୍‌ଖିଆଲି ଉଦ୍ୟମ ବିଫଳ ହେବା ପରେ ପ୍ରଦତ୍ତ ଭାଷଣରେ ସେ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ। ତୋଷଖାନା ମାମଲାରେ ଇସ୍‌ଲାମାବାଦ୍‌ର ଏକ ଅଦାଲତ ଖାଁଙ୍କ ନାଁରେ ଜାମିନବିହୀନ ପର୍‌ୱାନା ଜାରି କରିବାରୁ ପୁଲିସ ତାଙ୍କ ବାସଭବନରେ ଚଢ଼ଉ କରିଥିଲା।

Leave a Reply

Your email address will not be published. Required fields are marked *