ହାଇଦ୍ରାବାଦରୁ ଗୁରୁତର ଅବସ୍ଥାରେ ଫେରି ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ
ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ଜଣେ ଗୁରୁତର ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଦାଦନ ଶ୍ରମିକ ବାଣୁଆଗୁଡ଼ା ଗ୍ରାମର ରତନ ପନକା(୩୦) ବୋଲି ଜଣାପଡ଼ିଛି।
ସୂଚନା ପ୍ରକାରେ ବାଣୁଆଗୁଡ଼ା ଗ୍ରାମର ରତନ ପନକା କିଛି ଯୁବକମାନଙ୍କ ସହ ୧୫ ଦିନ ତଳେ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିଲେ। ତେବେ ସେଠାରେ କାମ କରିବା ସମୟରେ ଗତ ସାତ ତାରିଖ ଦିନ ରତନ ଅସୁସ୍ଥ ହୋଇ ପଡ଼ିଥିଲେ। ସାଥୀରେ ଯାଇଥିବା ଅନ୍ୟ ଦାଦନ ଶ୍ରମିକମାନେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଥିବା ବେଳେ ଗତ ୯ ତାରିଖ ଦିନ ସାଥୀ ହୋଇ ଯାଇଥିବା ଅନ୍ୟ ଜଣେ ଦାଦନ ଶ୍ରମିକ ଚକ୍ର ମାଳୀ ଘଟଣା ସମ୍ପର୍କରେ ରତନଙ୍କ ବଡ଼ ଭାଇ ଭୀମ ପନକାଙ୍କୁ ସୂଚନା ଦେବା ସହ ରତନକୁ ଘରକୁ ନେବା ପାଇଁ କହିଥିଲେ।
ଭୀମ ଖବର ପାଇବା ପରେ ଆର୍ଥିକ ଅଭାବ ଯୋଗୁଁ ହାଇଦ୍ରାବାଦ ଯିବା ସମ୍ଭବ ନୁହେଁ ବୋଲି କହିବା ସହ ଘରକୁ ଆଣିବା ପାଇଁ କହିଥିଲେ। ସେହିପରି ମାଲିକଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ। ଶେଷରେ ମାଲିକ ଆମ୍ବୁଲାନ୍ସ ଯୋଗେ ରତନଙ୍କୁ ଗୁରୁତର ଅବସ୍ଥାରେ ଘରକୁ ପଠାଇ ଦେଇଥିଲେ। ଗୁରୁତର ରତନଙ୍କ ସହ ସାଥୀ ହୋଇ ଯାଇଥିବା ଦାଦନ ଶ୍ରମିକ ଚକ୍ର ମାଳୀ, ବଂଶୀ ଠାକୁର ଏବଂ ଉଦଲିଆ ହରିଜନ ପ୍ରମୁଖ ଗତକାଲି ଭୋର ସକାଳୁ ବାଣୁଆଗୁଡ଼ା ଗ୍ରାମରେ ପହଞ୍ଚିଥିଲେ। ଦିନ ୧୦ଟା ସମୟରେ ଘରେ ରତନଙ୍କ ଦେହାନ୍ତ ହୋଇ ଯାଇଥିଲା। ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।