ନବ ଦାସ ହତ୍ୟା: ଜନସ୍ବାର୍ଥ ମାମଲାକୁ ଗୁରୁତ୍ବର ସହ ଗ୍ରହଣ କଲେ ହାଇକୋର୍ଟ
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଆବେଦନକାରୀଙ୍କ ତରଫରୁ ଦାୟର ମାମଲରେ ଦର୍ଶାଯାଇଛି ଯେ ଓଡ଼ିଶାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦୁଇ ପ୍ରହରରେ ହତ୍ୟା କରାଗଲା। ନବ ଦାସଙ୍କୁ କଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ମିଳି ନାହିଁ। ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ଦ୍ବାରା ତଦନ୍ତ କରାଗଲେ ସତ ପଦାକୁ ଆସିବ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୨୦୧୪ ନିର୍ବାଚନ ବେଳେ ବିଜେଡି ବ୍ୟାଙ୍କ ଖାତାକୁ କୋଟି କୋଟି ଟଙ୍କା ସନ୍ଦିଗ୍ଧ ପାଣ୍ଠିରୁ ଆସିଥିଲା। ବିଭିନ୍ନ ଚିଟଫଣ୍ଡ ସ୍କାମରେ ବିଜେଡି ସଭାପତି ଓ ଅନ୍ୟ ନେତାଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବା ଉଚିତ।
ଏହି ଦୁଇ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏଥି ସହିତ ପରୀ ଦୁଷ୍କର୍ମ ଓ ହତ୍ୟା, ମମିତା ମେହେର ଓ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ପୂର୍ବତନ ଜଣେ ଆଇପିଏସ ଅଧିକାରୀ ଦାଖଲ କରିଥିବା ରିପୋର୍ଟର ସିବିଆଇ ଯାଞ୍ଚ କରିବା ଆବଶ୍ୟକ। ଏହି ସବୁ ରିପୋର୍ଟକୁ ନେଇ ସନ୍ଦେହ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର, ପୁଲିସ ଡିଜି, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟଜିତ ମୁଖାର୍ଜୀ ମାମଲା ପରିଚାଳନା କରୁଛନ୍ତି।