ରାଜ୍ୟ

ଟିଟିଆଇର ଆଧୁନିକୀକରଣ କଲା ଓମ୍ବାଡସି, ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର

ବାରିପଦା: ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍ କଲେଜର ଆଧୁନିକୀକରଣ ଓ ଭିତ୍ତିଭୂମି ସଦୃଢ଼ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓମ୍ବାଡସି ପାଣ୍ଠି ସହାୟତାରେ ବାରିପଦାସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନ (ଟିଟିଆଇ) ନୂଆ ରୂପ ପାଇବା ଫଳରେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନୂଆ ଉଡ଼ାଣ ଦେଇ ପାରୁଛନ୍ତି।

ଓଡ଼ିଶାର ଏକ ପ୍ରମୁଖ ଆଦିବାସୀ ବହୁଳ ଜିଲ୍ଲା ହେଉଛି ମୟୂରଭଞ୍ଜ। ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ୧୯୫୭ରେ ବାରିପଦାର ତକତପୁରଠାରେ ଟିଟିଆଇ ସ୍ଥାପନ କରାଯାଇଥିଲା। ଓଡ଼ିଶାର ଏହି ପୁରାତନ ଶିକ୍ଷା ଓ ତାଲିମ ଅନୁଷ୍ଠାନରେ ବର୍ତ୍ତମାନ ୧୬ଟି ଟ୍ରେଡରେ ପାଠ୍ୟକ୍ରମ ରହିଛି। ଫଳରେ ମୟୂରଭଞ୍ଜ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ଆସି ତାଲିମ ନେବା ପାଇଁ ଆଗ୍ରହ ଦେଖାଉଛନ୍ତି।

Leave a Reply

Your email address will not be published. Required fields are marked *