ଆତଙ୍କବାଦୀଙ୍କୁ ସାହାଯ୍ୟ ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ବିଦା କଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଜି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ତିନି ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହିଷ୍କୃତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ପୋଲିସ କନଷ୍ଟେବଳ ଏବଂ ଜଣେ ବନ ବିଭାଗର କର୍ମଚାରୀ ଅଛନ୍ତି। ଏହି ତିନି ଜଣଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହରେ ସାହାଯ୍ୟ କରିବା ଏବଂ ହିଂସାତ୍ମକ ପ୍ରତିବାଦ କରିବା ପାଇଁ ଲୋକଙ୍କୁ ଉସୁକାଇବା ଅଭିଯୋଗ ରହିଛି। କୁହାଯାଉଛି ଯେ ଏହି ତିନି ଜଣଙ୍କୁ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (POK)ରୁ ନିର୍ଦ୍ଦେଶ ଦିଆଯାଇଥିଲା। ବହିଷ୍କୃତ କର୍ମଚାରୀଙ୍କ ମଧ୍ୟରେ ପୋଲିସ କନଷ୍ଟେବଳ ଫିରଦୋସ ଅହମ୍ମଦ ଭଟ୍, ଶିକ୍ଷକ ମହମ୍ମଦ ଆଶରଫ୍ ଭଟ୍ ଏବଂ ବନ ବିଭାଗ କର୍ମଚାରୀ ନିସାର ଅହମ୍ମଦ ଖାନ ଅଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ତିନି ଜଣଙ୍କୁ ସମ୍ବିଧାନର ଧାରା ୩୧୧ ୨ (ସି) ଅନୁଯାୟୀ ବହିଷ୍କାର କରାଯାଇଛି।
ଫିରଦୋସ ଅହମ୍ମଦ ଭଟ୍ ୨୦୦୫ ମସିହାରେ ଜମ୍ମୁ ଏବଂ କାଶ୍ମୀର ପୋଲିସରେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଭାବରେ ଯୋଗ ଦେଇଥିଲେ ଏବଂ ୨୦୧୧ ମସିହାରେ କନଷ୍ଟେବଳ ହୋଇଥିଲେ। ଜମ୍ମୁ-କାଶ୍ମୀର ପୋଲିସର ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ୟୁନିଟରେ କାମ କରିବା ସମୟରେ ଫିରଦୋସ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ପାଇଁ କାମ କରିବା ଆରମ୍ଭ କରିଥିଲେ। ଅନନ୍ତନାଗରେ ଅଣ-କାଶ୍ମୀରୀ ଏବଂ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଫିରଦୋସଙ୍କୁ ଗିରଫ କରାଯାଇଥିଲା। ଶ୍ରୀନଗରର କମରୱାଡିରେ ଫିରଦୋସଙ୍କ ବାସଭବନରେ ଚଢାଉ ସମୟରେ, ବେଆଇନ ଅସ୍ତ୍ରଶସ୍ତ୍ର, ପିସ୍ତଲ, ବିସ୍ଫୋରକ ସାମଗ୍ରୀ ଏବଂ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଥିଲା।