ଦେଶ- ବିଦେଶ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ: ଚେତାବନୀ ପରେ କେବଳ ୩ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କଲା

ଗାଜା: ହମାସ ଆତଙ୍କବାଦୀମାନେ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ଶନିବାର ଦିନ ମୁକ୍ତ କରିଛନ୍ତି। ତାଙ୍କୁ ପ୍ରଥମେ ଦକ୍ଷିଣ ଗାଜା ଷ୍ଟ୍ରିପରେ ଲୋକଙ୍କ ସାମ୍ନାରେ ପରେଡ୍ କରାଯାଇଥିଲା ଏବଂ ତା’ପରେ ରେଡକ୍ରସକୁ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ଗୋଟିଏ ମାସ ପୂର୍ବେ ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ ଏହା ଷଷ୍ଠ ବନ୍ଧକ ଅଦଳବଦଳ ହେଇଛି। ହମାସ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ଇସ୍ରାଏଲ ୩୬୯ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବା ଆରମ୍ଭ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଧମକ ସତ୍ତ୍ୱେ, ହମାସ କେବଳ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏଭଳି କରି ହମାସ ଟ୍ରମ୍ପଙ୍କୁ ନିଜର ଲାଲ ଆଖି ଦେଖାଇଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

ଏହି ଅସ୍ତ୍ରବିରତି ସମ୍ପର୍କରେ ବାରମ୍ବାର ସମସ୍ୟା ଦେଖାଦେଇଛି। ବନ୍ଧକଙ୍କ ବଦଳରେ ଇସ୍ରାଏଲକୁ ଶହ ଶହ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ କରାଯାଇଥିବାରୁ ଚୁକ୍ତିନାମା ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇଛି।

ତିନି ଜଣ ବନ୍ଧକ ହେଉଛନ୍ତି ୩୬ବର୍ଷୀୟ ଆମେରିକୀୟ-ଇସ୍ରାଏଲୀ  ସାଗୁଇ ଡେକେଲ୍ ଚେନ୍, ୪୬ ବର୍ଷୀୟ ଇସ୍ରାଏଲୀ-ଆର୍ଜେଣ୍ଟିନା ନାଗରିକ  ଆୟାର ହର୍ନ ଏବଂ ରୁଷୀୟ-ଇସ୍ରାଏଲୀ ୨୯ ବର୍ଷୀୟ ଆଲେକଜାଣ୍ଡର (ସାଶା) ଟ୍ରୋଫାନୋଭଙ୍କୁ ୭ ଅକ୍ଟୋବର ୨୦୨୩ରେ ହମାସ ନେତୃତ୍ୱରେ ହୋଇଥିବା ଆକ୍ରମଣ ସମୟରେ ଅପହରଣ କରାଯାଇଥିଲା।

ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କ ପରିବାର ସହିତ ପୁନଃମିଳନ ପାଇଁ ଇସ୍ରାଏଲୀ ସାମରିକ ହେପାଜତକୁ ନିଆଯାଇଥିଲା। ତିନିଜଣ ବନ୍ଧକ କ୍ଳାନ୍ତ ଜଣାପଡୁଥିଲେ। କିନ୍ତୁ ପୂର୍ବରୁ ମୁକ୍ତ ହୋଇଥିବା କିଛି ବନ୍ଦୀଙ୍କ ଅପେକ୍ଷା ସେମାନଙ୍କର ଅବସ୍ଥା ଭଲ ରହିଛି ବୋଲି ଇସ୍ରାଏଲ କହିଛି।

 ଅସ୍ତ୍ରବିରତି ଫଳରେ ୨୧ ଜଣ ବନ୍ଧକ ଏବଂ ୭୩୦ରୁ ଅଧିକ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରାଯାଇ ପାରିଛି। ଶନିବାର ଦିନ, ହମାସ ନିଶ୍ଚିତ କରିଛି ଯେ, ୩୬୯ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ୩୬ ଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଅଛନ୍ତି। ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ପ୍ରମୁଖ ପାଲେଷ୍ଟାଇନ ବ୍ୟକ୍ତି ମାରୱାନ୍ ବାରଘୌତିଙ୍କ ଘନିଷ୍ଠ ସହଯୋଗୀ ଅହମ୍ମଦ ବାରଘୌତି ରହିଛନ୍ତି। ତାଙ୍କୁ ଦ୍ୱିତୀୟ ଇନ୍ତିଫାଦା ସମୟରେ ଆକ୍ରମଣରେ ଭୂମିକା ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ବନ୍ଧକ ମୁକ୍ତକୁ ସତର୍କତାର ସହ ପରିଚାଳନା କରାଯାଇଥିଲା। ବନ୍ଦୀମାନଙ୍କୁ ଏକ ମଞ୍ଚ ଉପରେ ସଶସ୍ତ୍ର ହମାସ ଯୋଦ୍ଧା ଏବଂ ଆତଙ୍କବାଦୀ ଗୋଷ୍ଠୀର ବ୍ୟାନର ଦ୍ୱାରା ଘେରି ରହିଥିବା ଏକ ଭିଡ଼ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ସାମ୍ପ୍ରତିକ ଘଟଣା ନେଇ ତେଲ ଅଭିଭର ହୋଷ୍ଟେଜ୍ ସ୍କୋୟାରରେ ଆନନ୍ଦର ଲହରୀ ଖେଳିଯାଇଥିଲା। ସେଠାରେ ବନ୍ଦି ମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କ ପରିବାର ସଦସ୍ୟମାନେ ଉତ୍ସବ ପାଳନ କରିଥିଲେ।

ଶନିବାର ଦିନ  ମୁକ୍ତ ହୋଇଥିବା ଇସ୍ରାଏଲୀ ବନ୍ଧକମାନେ ସେମାନଙ୍କର ଯନ୍ତ୍ରଣାଦାୟକ ଅଭିଜ୍ଞତା ବଖାଣିଛନ୍ତି। ହର୍ଣ୍ଣଙ୍କୁ ତାଙ୍କ ଭାଇ ଏଇଟାନଙ୍କ ସହିତ ଅପହରଣ କରାଯାଇଥିଲା, ଯିଏ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି। ଆକ୍ରମଣ ସମୟରେ ଡେକେଲ ଚେନ ବାହାରେ କାମ କରୁଥିବା ସମୟରେ ସେ ଧରାପଡ଼ିଥିଲେ। ଯେତେବେଳେ ତାଙ୍କ ସ୍ତ୍ରୀ ଏବଂ ଝିଅମାନେ ଏକ ସୁରକ୍ଷିତ କୋଠରୀରେ ଲୁଚି ରହିଥିଲେ। ଟ୍ରୁଫାନୋଭଙ୍କୁ ତାଙ୍କ ଜେଜେମା, ମାଆ ଏବଂ ପ୍ରେମିକାଙ୍କ ସହିତ ବନ୍ଧକ ରଖାଯାଇଥିଲା। ସେମାନେ ନଭେମ୍ବରରେ ମୁକ୍ତ ହୋଇଥିଲେ। ଅକ୍ଟୋବର ମାସରେ ହୋଇଥିବା ଆକ୍ରମଣରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।

ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି ଯେ, ମୁକ୍ତ ପାଲେଷ୍ଟାଇନ ବନ୍ଦୀମାନଙ୍କ ମଧ୍ୟରେ ହିଂସାତ୍ମକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୦୦୨ ମସିହାରେ ଘାତକ ଆକ୍ରମଣ କରିବା ଅପରାଧରେ ଗିରଫ ହୋଇଥିବା ଅହମ୍ମଦ ବାରଘୌତି ମଧ୍ୟ ଅଛନ୍ତି।

ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ସମୟରେ ୨୫୧ ଜଣ ବନ୍ଧକଙ୍କ ମଧ୍ୟରୁ ୭୩ ଜଣ ଏବେ ବି ଗାଜାରେ ବନ୍ଦୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ମୃତ୍ୟୁବରଣ କରିଛନ୍ତି। ବିଶେଷକରି ଗତ ଶନିବାର ମୁକ୍ତି ପରେ, ସେମାନଙ୍କ ଅବସ୍ଥା ବିଷୟରେ ଚିନ୍ତା ବଢ଼ିଛି, ଯେଉଁଥିରେ ଦୁର୍ବଳ ଏବଂ କୁପୋଷିତ ଦେଖାଯାଉଥିବା ବନ୍ଦୀମାନେ ମଧ୍ୟ ସାମିଲ ଥିଲେ। ଜଣେ ପୂର୍ବତନ ବନ୍ଧକ, ୬୫ବର୍ଷୀୟ କିଥ୍ ସିଗେଲ୍, ବନ୍ଦୀ ସମୟରେ ତାଙ୍କ ନିର୍ଯାତନାର ଅଭିଜ୍ଞତା ବଖାଣି  କହିଥିଲେ  ଯୁଦ୍ଧ ଆଗକୁ ବଢ଼ିବା ସହିତ ସେମାନଙ୍କର ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା।

ଜାନୁଆରି ୧୯ ତାରିଖରେ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ଅନେକ ବିପଦର ସମ୍ମୁଖୀନ ହୋଇଛି। ହମାସ ଗାଜାକୁ ପର୍ଯ୍ୟାପ୍ତ ମାନବିକ ସହାୟତା ଯୋଗାଇ ନଥିବା ଇସ୍ରାଏଲ ଉପରେ ଅଭିଯୋଗ କରିଥିଲା, ଯାହା ଫଳରେ ବନ୍ଧକଙ୍କ ମୁକ୍ତିରେ ବିଳମ୍ବ ହୋଇଥିଲା। 

Leave a Reply

Your email address will not be published. Required fields are marked *