ଅଭିନନ୍ଦନ ନୂଆ ମୁଖ୍ୟମନ୍ତ୍ରୀ: ଶପଥ ନେବା ପୂର୍ବରୁ ରେଖାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଦାୟିତ୍ବ ନେବେ ରେଖା । ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ବିଜେପି ସରକାରର ଶପଥ ସମାରୋହ ଥିବାରୁ ବେଶ ଚଳଚଞ୍ଚଳ ଅଛି ରାଜଧାନୀ ।
ତେବେ ଗତକାଲି ରେଖାଙ୍କ ନାଁରେ ମୋହର ବାଜିବା ପରେ ତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବଡ ବଡ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖି ରେଖା କହିଛନ୍ତି, ସବୁ ଦଳର ଆଶୀର୍ବାଦ । ଗୋଟେ ସାଧାରଣ ପରିବାରର ଝିଅକୁ ମୁଖ୍ୟମନ୍ତ୍ରୀ ପାଇଁ ଭରସା କରି ଦାୟିତ୍ବ ଦେଇଥିବାରୁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବ ଏବଂ ବିଧାୟକଙ୍କୁ ଅନେକ ଅନେକ ଧନ୍ୟବାଦ ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ଅମିତ ଶାହା । କହିଛନ୍ତି ରାଜଧାନୀ ଦିଲ୍ଲୀକୁ ଦୁନିଆର ସବୁଠୁ ଶୀର୍ଷ ରାଜଧାନୀ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପରିକଳ୍ପନା କରିଛନ୍ତି ଆଶା କରୁଛି ଆପଣ ସେହି ଦିଗରେ ସମର୍ପଣର ସହ କାମ କରିବେ ।
ସେହିପରି ରାଜନାଥ ସିଂହ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତର ବିକଶିତ ରାଜଧାନୀ ହେବ । ଏହା ମୋର ବିଶ୍ବାସ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରେଖାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଆପଣଙ୍କ ନେତୃତ୍ବରେ ଦିଲ୍ଲୀ ବିକାଶ ଏବଂ ଶୁସାନର ନୂଆ ଉଚ୍ଚତାକୁ ଅଗ୍ରସର ହେବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭଜନଲାଲ ଶର୍ମା, ସମ୍ବିତ ପାତ୍ର, ବାଂଶୁରୀ ସ୍ବରାଜ ଅଭିନନ୍ଦନ ଜଣାଇଛନ୍ତି । ତାସହ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀ ମର୍ଲେନା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
କେଜ୍ରିୱାଲ ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ରେଖା ଗୁପ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଶା କରୁଛି ସେ ଦିଲ୍ଲୀବାସୀଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ପୂରା କରିବେ ଏବଂ ଜନତାଙ୍କ ବିକାଶ ପାଇଁ ଆମେ ତାଙ୍କୁ ସବୁ କାମରେ ସାହାଯ୍ୟ କରିବୁ ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା ଲେଖିଛନ୍ତି କି ଏହା ସବୁଠୁ ଖୁସିର କଥା କି ଦିଲ୍ଲୀର ନେତୃତ୍ବ ଜଣେ ମହିଳା ନେବେ । ମୋର ବିଶ୍ବାସ ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା କଥା ରେଖା ରଖିବେ ।