ମୁଖ୍ୟ ଖବର

ୟୁଏସ୍ଏଡ୍‌ ଦୁର୍ନୀତିର ତଦନ୍ତ ହେବ: ଖୁଲାସାକୁ ଏଡ଼ାଇବା ମୁଡ୍‌ରେ ନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଦେଶୀ ଚାନ୍ଦା ବିବାଦରୁ ବିରୋଧୀଙ୍କୁ ଦୂରେଇ ରହିବାକୁ ସୁଯୋଗ ଦେବା ମୁଡ୍‌ରେ ସରକାର ନାହାନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ‘ୟୁଏସ୍ଏଡ୍‌’ ଓ ‘ଜର୍ଜ ସୋରୋସ୍’ ପ୍ରସଙ୍ଗକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଓ ଭାରତ ଏକ ବିଶାଳ ତାଲିକା ଆଦାନ ପ୍ରଦାନ କରିଛନ୍ତି, ଯେଉଁଥିରେ ଏନ୍‌ଜିଓ, ପ୍ରଭାବଶାଳୀ ବ୍ୟକ୍ତି, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଥିଙ୍କ୍‌ଟ୍ୟାଙ୍କ୍‌ଗୁଡ଼ିକର ନାମ ରହିଛି।

ଉଭୟ ଦେଶର ସରକାର ଏହି ତାଲିକାକୁ ଅନୁଧ୍ୟାନ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର କାରବାରର ବିବରଣୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ଆମେରିକୀୟ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଅଧୀନରେ ଭାରତରେ ମତଦାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୨୧ ନିୟୁତ ଡଲାରର ଆମେରିକୀୟ ଟିକସଦାତାଙ୍କ ପାଣ୍ଠିପ୍ରାପ୍ତ ଅନୁଦାନକୁ ବାତିଲ କରିଛି। ଡିଓଜିଇ ଏହାର ଘୋଷଣାରେ ଦର୍ଶାଇଛି ଯେ ଏହି ୨୧ ନିୟୁତ ଡଲାର ‘ନିର୍ବାଚନ ଓ ରାଜନୈତିକ ପ୍ରକ୍ରିୟା ସୁଦୃଢ଼ୀକରଣ’ ପାଇଁ ଆବଣ୍ଟିତ ୪୮୬ ନିୟୁତ ଡଲାର ବଜେଟ୍‌ର ଏକ ଅଂଶ ଥିଲା। ବାଇଡେନ ପ୍ରଶାସନ ଏଭଳି ପାଣ୍ଠି ବ୍ୟବସ୍ଥା କରିବା ପଛର ଅସଲ ଉଦ୍ଦେଶ୍ୟ କ’ଣ ଥିଲା ବୋଲି ବିଭିନ୍ନ ମହଲ ପ୍ରଶ୍ନ କରିଛନ୍ତି।   


ୟୁଏସ୍‌ଏଡ୍‌ ତାଲିକାରେ ଥିବା ଏନ୍‌ଜିଓଗୁଡ଼ିକର ଏଫ୍‌ସିଆର୍‌ଏ ଲାଇସେନ୍ସକୁ ପ୍ରଥମେ ରଦ୍ଦ କରିବାକୁ ମୋଦୀ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସରକାର ଅନୁଭବ କରୁଛନ୍ତି ଯେ ଏଭଳି ଅନେକ ଏନ୍‌ଜିଓକୁ ଏଫ୍‌ସିଆର୍‌ଏ ମଞ୍ଜୁରୀ ଦିଆଯାଇନାହିଁ। ୟୁଏସ୍‌ଏଡ୍‌ ତାଲିକାରେ ଥିବା କିଛି ଲୋକଙ୍କୁ ସେମାନଙ୍କ କାରବାର, ବିଦେଶୀ ରୋଜଗାର ଓ ବିଦେଶ ଭ୍ରମଣର ହିସାବ ଦେବାକୁ କହିବା ପାଇଁ ପ୍ରଶ୍ନାବଳୀ ପଠାଇବାକୁ ଯୋଜନା କରାଯାଉଛି। ତେବେ ଏନେଇ ତରବରିଆ ଭାବେ କୌଣସି ପଦକ୍ଷେପ ନନେଇ ସରକାର ବିସ୍ତୃତ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ରାଜନୈତିକ ଦୃଷ୍ଟିରୁ ଏହା ଏଭଳି ଏକ ଅସ୍ତ୍ର ଯାହାକୁ ବିଜେପି ସହଜରେ ଛାଡିବ ନାହିଁ ବୋଲି କୁହାଯାଉଛି। ନିକଟରେ ବିଜେପି ସୋନିଆ ଗାନ୍ଧୀଙ୍କୁ ଭାରତ ବିରୋଧୀ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସ୍ ପାଣ୍ଠିପ୍ରାପ୍ତ ସଂସ୍ଥା ସହ ଯୋଡ଼ିବା ପର୍ଯ୍ୟନ୍ତ ଯାଇଥିଲା।

Leave a Reply

Your email address will not be published. Required fields are marked *