ମହିଳାଙ୍କୁ କେବେ ମିଳିବ ମାସିକ ୨୫୦୦ ଟଙ୍କା ? ମୁହାଁମୁହିଁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆଜି ମୁହାଁମୁହିଁ ହେଲେ । ସରକାରକୁ ଆସୁଆସୁ ଆରମ୍ଭ ହୋଇଗଲାଣି ଆପ୍-ବିଜେପି ଭିତରେ ଯୁକ୍ତିତର୍କ । ତାହା ପୁଣି ନୂଆ ମୁଖ୍ୟମନ୍ତ୍ରୀ ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ । ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେବା ପରେ ତାଙ୍କୁ ଜବାବ ମାଗିଛନ୍ତି ଆତିଶୀ । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରୁ ଦିନକ ପରେ ହିଁ ଦୁଇ ବରିଷ୍ଠ ନେତ୍ରୀଙ୍କ ଭିତରେ ଦେଖିବାକୁ ମିଳିଛି ବାକ୍ ଯୁଦ୍ଧ ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ରେଖାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଆତିଶୀ । ଆଉ କହିଥିଲେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପୁଣି ଦିଲ୍ଲୀକୁ ମିଳିଥିବାରୁ ସେ ଭାରି ଖୁସି । ହେଲେ ଶପଥ ନେବାର ଦିନକ ପରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ମନେପକାଇ ତାଙ୍କୁ ହିସାବ ମାଗିଛନ୍ତି ଆତିଶୀ । ଦିଲ୍ଲୀ ମହିଳାଙ୍କୁ ରେଖା ସରକାର କେବେ ମାସିକ ୨୫୦୦ ଟଙ୍କା ଦେବ ସେନେଇ ଜବାବ ମାଗିଛନ୍ତି ।
ଇସ୍ତାହାରରେ ଏବଂ ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ପ୍ରତିଶ୍ରୃତିକୁ ବିଜେପି ସରକାର ଗଢିବା ପରେ ପୁଣିଥରେ ମନେପକାଇ ଦେଇଛନ୍ତି ଆତିଶୀ । ମୋଦିଙ୍କ କଥାକୁ ଦୋହରାଇ ସେ କହିଛନ୍ତି, ମୋଦି କହିଥିଲେ ଆମେ ଦିଲ୍ଲୀରେ ସରକାର ଗଢିବା ପରେ ପ୍ରଥମ କ୍ୟାବିନେଟ୍ ମିଟିଂରେ ହିଁ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବାର ବିଲକୁ ପାସ୍ କରିବୁ । ହେଲେ କୁଆଡେ ଗଲା ସେ କଥା, କେବେ ମହିଳାଙ୍କୁ ଦିଆଯିବ ୨୫୦୦ ଟଙ୍କା ? ବୋଲି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ବିଜେପି ସରକାରକୁ ଘେରିଛନ୍ତି ଆତିଶୀ ।
ତେବେ ଆତିଶୀଙ୍କ ପ୍ରଶ୍ନର ଜବାବ ଦେଇ ମୁଖ୍ୟମନ୍ତ୍ରୀ ରେଖା କହିଛନ୍ତି, ସରକାର ଆମର ଏଜେଣ୍ଡା ବି ଆମର, ଆମକୁ କାମ କରିବାକୁ ତ ଦିଅନ୍ତୁ… ସବୁ କଥା କହିବା ଦରକାର ନୁହେଁ ବୋଲି ଆତିଶୀଙ୍କ ଉପରେ ଚିଡି ଯାଇ କହିଛନ୍ତି ରେଖା ଗୁପ୍ତା ।