ରାଜ୍ୟ

ହିନ୍ଦୀ ବିବାଦ: ‘ଭାଷା’ ଯୁଦ୍ଧରୁ ପଛକୁ ହଟିଲେ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ସଭାପତି ଏମ୍.କେ. ଷ୍ଟାଲିନ୍ ବୁଧବାର  କହିଛନ୍ତି ଯେ, ଯଦି ତାମିଲନାଡୁ ଏବଂ ତାମିଲମାନଙ୍କ ସ୍ୱାଭିମାନ ସହିତ ଖେଳ ନ ଖେଳି ହିନ୍ଦୀ ଭାଷାକୁ ବଳପୂର୍ବକ ସେମାନଙ୍କ ଉପରେ ଲଦି ଦିଆ ନଯାଏ, ତେବେ ଆମଦଳ ଏହି ଭାଷାକୁ ବିରୋଧ କରିବ ନାହିଁ।

ହିନ୍ଦୀ ଭାଷା ଲାଗୁ କରାଯିବା ପ୍ରସଙ୍ଗରେ ଦଳୀୟ କର୍ମୀମାନଙ୍କୁ ଲେଖିଥିବା ଚିଠିରେ ଷ୍ଟାଲିନ କହିଛନ୍ତି ଯେ, ଆତ୍ମସମ୍ମାନ ହେଉଛି ତାମିଲମାନଙ୍କର ବିଶେଷତ୍ୱ। ସେ କହିଥିଲେ, ଯେଉଁମାନେ ପଚାରୁଛନ୍ତି ଯେ, ଡିଏମକେ କାହିଁକି ଏବେ ବି ହିନ୍ଦୀକୁ ବିରୋଧ କରୁଛି, ମୁଁ ଆପଣଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେମାନଙ୍କୁ ବିନମ୍ରତାର ସହିତ ଏହି ଉତ୍ତର ଦେଉଛି। କାରଣ ଆପଣ ଏବେ ବି ଏହାକୁ ଆମ ଉପରେ ଲଦି ଦେଉଛନ୍ତି।

ସେ କହିଛନ୍ତି, ଯଦି ତୁମେ ଏହାକୁ ଲାଗୁ ନ କର, ତେବେ ଆମେ ପ୍ରତିବାଦ କରିବୁ ନାହିଁ। ଆମେ ତାମିଲନାଡୁରେ ଲେଖାଯାଇଥିବା ହିନ୍ଦୀ ଶବ୍ଦଗୁଡ଼ିକ ଉପରେ କଳା ବୋଳିବୁ ନାହିଁ। ଆତ୍ମସମ୍ମାନ ତାମିଲମାନଙ୍କର ଅନନ୍ୟ ବୈଶିଷ୍ଟ୍ୟ ଏବଂ ଆମେ କାହାକୁ, ସେ ଯିଏ ହେଉନା କାହିଁକି, ଏଥିରେ ହସ୍ତକ୍ଷେପ କରିବାକୁ ଦେବୁ ନାହିଁ।

ରାଜ୍ୟରେ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଷ୍ଟାଲିନଙ୍କ ମନ୍ତବ୍ୟ ଆସିଛି। ଡିଏମକେ ଅଭିଯୋଗ କରିଛି ଯେ, କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଜାତୀୟ ଶିକ୍ଷା ନୀତି (ଏନଇପି)ରେ ତ୍ରିଭାଷା ସୂତ୍ର ମାଧ୍ୟମରେ ହିନ୍ଦୀକୁ ଲାଗୁ କରିବାକୁ ଚେଷ୍ଟା କରୁଛି।

ତଥାପି, କେନ୍ଦ୍ର ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏହି ପ୍ରସଙ୍ଗରେ ଡିଏମକେ ଏବଂ ବିଜେପିର ତାମିଲନାଡୁ ୟୁନିଟ୍ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଦଳର ତାମିଲନାଡୁ ୟୁନିଟ୍ ମୁଖ୍ୟ କେ. ଅନ୍ନାମଲାଇ ଏହାର ନେତୃତ୍ୱ ନେଉଛନ୍ତି। ଷ୍ଟାଲିନ୍ ତାଙ୍କ ଚିଠିରେ ୧୯୩୭-୩୯ ମଧ୍ୟରେ ରାଜ୍ୟରେ ହୋଇଥିବା ହିନ୍ଦୀ ବିରୋଧୀ ଆନ୍ଦୋଳନକୁ ମନେ ପକାଇଛନ୍ତି ଏବଂ କହିଛନ୍ତି ଯେ, ଇଭି ରାମାସାମୀ ‘ପେରିୟାର’ ସମେତ ବିଭିନ୍ନ ନେତା ଏହି ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। କିଛି ବିଜେପି ନେତା କହିଛନ୍ତି, ରେଳ ଷ୍ଟେସନଗୁଡ଼ିକରେ ହିନ୍ଦୀରେ ଲେଖାଯାଇଥିବା ସୂଚନା ଉପରେ କଳା ବୋଲିବା ଦ୍ୱାରା ରାଜ୍ୟକୁ ଆସୁଥିବା ଉତ୍ତର ଭାରତୀୟ ପର୍ଯ୍ୟଟକମାନେ ପ୍ରଭାବିତ ହେବେ।

Leave a Reply

Your email address will not be published. Required fields are marked *