ମନୋରଞ୍ଜନରାଜ୍ୟ

ଉତ୍ତମ ଥିଲେ ସର୍ବୋତ୍ତମ

୭୦ ଦଶକର ଶେଷ ଆଡ଼କୁ ଯେଉଁ ସୌମ୍ୟକାନ୍ତ ଅଭିନେତାଙ୍କ ଆଗମନ ସହିତ ଓଡ଼ିଆ ଫିଲ୍ମରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା, ସେ ଥିଲେ ଉତ୍ତମ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ନାୟକର ନୂଆ ପରିଭାଷା ସୃଷ୍ଟି କରିଥିଲେ ଉତ୍ତମ। ପ୍ରଥମ ପଦାର୍ପଣରୁ ହିଁ ସେ ଅନ୍ୟମାନଙ୍କଠାରୁ ଅଲଗା ଲାଗିଥିଲେ। ଏଥିସହ ତାଙ୍କ ସାବଲୀଳ ଅଭିନୟ ଅଗଣିତ ଦର୍ଶକଙ୍କୁ କିମିଆ କରିଥିଲା। ଅବିଳମ୍ବେ ସେ ପାଲଟି ଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସବୁଠୁ ବଡ଼ ତାରକା। ଆଉ ପ୍ରମାଣ କରିଥିଲେ, ସେ ଉତ୍ତମ ନୁହନ୍ତି, ସର୍ବୋତ୍ତମ। ବିଭିନ୍ନ ଧରଣର ଭୂମିକାରେ ସେ ନିଜ ଅଭିନୟର ଶ୍ରେଷ୍ଠତ୍ବ ପ୍ରମାଣିତ କରି ଦର୍ଶକଙ୍କ ଭଲପାଇବା ଜିଣିଥିଲେ। ସେହି ଉତ୍ତମ ଯୁଗର ଆଜି ଅବସାନ ଘଟିଛି।

୧୯୫୪ ଏପ୍ରିଲ୍‌ ୨୯ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଅଭିନେତା ଉତ୍ତମ ମହାନ୍ତି। ବାରିପଦା ଏମ୍‌କେସି ଉଚ୍ଚବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ ସାରିବା ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ବିଜ୍ଞାନ ପଢ଼ିଥିଲେ। କଲେଜ ପଢ଼ିବା ସମୟରେ ମଞ୍ଚ ନାଟକରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ। ସେ ବାବଦରେ ସ୍ଥାନୀୟ ଅଞ୍ଚଳରେ ସେ କିଛିଟା ପରିଚୟ ତିଆରିବାରେ ସଫଳ ମଧ୍ୟ ହୋଇଥିଲେ। ଏହାସହ ବ୍ୟାଡ୍‌ମିଣ୍ଟନ୍‌ ଓ ଟେବୁଲ୍‌ ଟେନିସ୍‌ ଖେଳିବାରେ ମଧ୍ୟ ଉତ୍ତମଙ୍କର ବେଶ୍ ଆଗ୍ରହ ଥିଲା। ସ୍ନାତକ ଶେଷ ହେବା ପରେ ଚାଟାର୍ଡ ଆକାଉଣ୍ଟାସି ପଢ଼ିବା ପାଇଁ ସେ ଲୁଧିଆନା ଚାଲିଯାଇଥିଲେ। ପରେ ସେ ତାଙ୍କ ବଡ଼ଭାଇ ସ୍ୱର୍ଗତ ଅରୁଣ କୁମାର ମହାନ୍ତିଙ୍କ ପାଖରେ କୋଲକାତାରେ ରହି ଚାଟାର୍ଡ ଆକାଉଣ୍ଟାସି ପାଠ୍ୟକ୍ରମ ପଢ଼ା ଜାରି ରଖିଥିଲେ। 
୧୯୭୬ ମସିହାରେ ସେ ଯେତେବେଳେ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାନ୍‌ସି ପାଠ ପଢ଼ୁଥିଲେ ସେତେବେଳେ ନିର୍ଦେଶକ ସାଧୁ ମେହେର ‘ଅଭିମାନ’ ତିଆରିବା ଲାଗି ପ୍ରସ୍ତୁତି କରୁଥିଲେ। ସେ ଫିଲ୍ମରେ ବାରିପଦାର ଅନେକ ଲୋକ ସଂପୃକ୍ତ ଥିଲେ। ସେତେବେଳେ ବାରିପଦା ଓଡ଼ିଆ ଫିଲ୍ମର ଅନ୍ୟତମ କେନ୍ଦ୍ର ରୂପେ ସ୍ବୀକୃତି ପାଉଥିଲା।  ‘ଅଭିମାନ’ର କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ବାରିପଦାର ହୋଇଥିବାରୁ ଉତ୍ତମଙ୍କୁ ଆଗରୁ ଜାଣିଥିଲେ। ସେ ତାଙ୍କୁ ଉକ୍ତ ଫିଲ୍ମରେ ନାୟକ ସାଜିବା ପାଇଁ ଶ୍ରୀ ମେହେରଙ୍କୁ ସାକ୍ଷାତ କରିବାଲାଗି ପରାମର୍ଶ ଦେଇଥିଲେ। ଏନେଇ ସେ ଏକ ଚିଠି ତାଙ୍କ ପାଖକୁ ପଠାଇଥିଲେ। କିନ୍ତୁ ଉତ୍ତମଙ୍କ ପାଠପଢ଼ା ଚାଲିଥିବାରୁ ବଡ଼ଭାଇ ସେ ଚିଠିକୁ ଚିରି ଦେଇଥିଲେ। ତେବେ ଏହାପରେ ଯେତେବେଳେ ମାସେ ଛୁଟିରେ ଉତ୍ତମ ବାରିପଦାରେ ଥିବା ନିଜ ଘରକୁ ଆସିଥା’ନ୍ତି, ସେତେବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ବାଧ୍ୟକରି ନେଇ ସାଧୁ ମେହେରଙ୍କ ସହ ସାକ୍ଷାତ କରାଇଥିଲେ। ଉତ୍ତମଙ୍କ ସହ ଏକ ସାଧାରଣ ଭେଟ ପରେ ଶ୍ରୀ ମେହେର ତାଙ୍କୁ ପରଦିନ ଆସିବାକୁ କହିଥିଲେ। କିନ୍ତୁ ଉତ୍ତମଙ୍କର ସକାଳୁ ଡେରିରେ ଉଠିବା ଅଭ୍ୟାସ ଯୋଗୁଁ ଶ୍ରୀ ମେହେର ନିଜେ ଯାଇ ତାଙ୍କ ଘରେ ପହଞ୍ଚିଯାଇ ଶୀଘ୍ର ବାହାରିକୁ କହିଥିଲେ। ସେଦିନ ଉତ୍ତମ ପିନ୍ଧିଥିବା ହାଫ୍‌ ପ୍ୟାଣ୍ଟ୍‌ ଉପରେ ଫୁଲ୍‌ ପ୍ୟାଣ୍ଟ୍‌ ପିନ୍ଧି ବାହାରି ପଡ଼ିଥିଲେ। ଏହାପରେ ନିର୍ଦ୍ଦେଶକ ଶ୍ରୀ ମେହେର ତାଙ୍କୁ ଏକ ଷ୍ଟୁଡିଓକୁ ନେଇ ତାଙ୍କର ଫଟୋ ଉଠାଇଥିଲେ। ଉତ୍ତମଙ୍କ ଫଟୋଜେନିକ୍‌ ତଥା ‌ଓ ହିରୋମାର୍କା ଚେହେରା ଯୋଗୁଁ ସାଧୁ ମେହେର ପ୍ରଥମରୁ ତାଙ୍କୁ ପସନ୍ଦ କରି ନେଇଥିଲେ। କୁହାଯାଏ, ତାଙ୍କୁ ସେ ଯେଉଁ ସଂଳାପ କହିବାଲାଗି ଦେଇଥିଲେ, ତା’କୁ ଉତ୍ତମ ସେତେଟା ଭଲରେ କହି ପାରିନଥିଲେ। ତଥାପି ଶ୍ରୀ ମେହେର ନିଜ ଫିଲ୍ମରେ ତାଙ୍କୁ ହିଁ ନେବାଲାଗି ଏକପ୍ରକାର ନିଶ୍ଚୟ କରି ନେଇଥିଲେ। କିନ୍ତୁ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। କାରଣ ତାଙ୍କର ପାଠପଢ଼ା ଚାଲିଥିଲା। ତେବେ ଭଉଣୀମାନେ ବୁଝାଇବାରୁ ଘରଲୋକ ରାଜି ହୋଇଥିଲେ। କିନ୍ତୁ ଫିଲ୍ମର ସୁଟିଂ ସେହି ମାସେ ଛୁଟି ଭିତରେ ହିଁ ସାରିବାକୁ ସର୍ତ୍ତ ଥିଲା। ବାରିପଦାରେ ସୁଟିଂ ହେଉଥିବାରୁ ସୁଟିଂ ମାସେ ଭିତରେ ଶେଷ ହୋଇଥିଲା। ୧୯୭୭ରେ ରିଲିଜ୍‌ ହୋଇ ‘ଅଭିମାନ’ ସୁପରହିଟ୍‌ ହେଲା। ତେବେ ତା’ପରେ ୨ ବର୍ଷ ଯାଏଁ ଉତ୍ତମ ଚଳଚ୍ଚିତ୍ର ଜଗତରୁ ଅପସରି ଯାଇଥିଲେ।  

ସୁଟିଂ ସେଟ୍‌ରେ ପ୍ରଥମ ଦିନ 
୧୯୭୭ରେ ନିର୍ମିତ ‘ଅଭିମାନ’ ଥିଲା ଉତ୍ତମଙ୍କର ପ୍ରଥମ ଫିଲ୍ମ। ନିଜ ପ୍ରଥମ ସୁଟିଂ ସେଟ୍‌ର ଅନୁଭୂତି ବଖାଣି ସେ ଏକଦା ‘ସମ୍ବାଦ’କୁ କହିଥିଲେ….. 
‘‘ରବିବାର ସକାଳ। ଛାତ ଉପରେ ଠିଆ ହୋଇଥିବେ ବଡ଼ଭାଇ। ତଳ ଅଗଣାରେ ମୁଁ ଜଳଖିଆ ଖାଉଥିବି I ବଜାରକୁ ଯାଇ ମାଂସ ଆଣିବା ପାଇଁ ସେ ତାଗିଦ୍ କରିବେ। ଆଉ ଚିରାଚରିତ ଢଙ୍ଗରେ ମୁଁ ନଶୁଣିଲା ଭଳି ପଳାଇଯିବି। ଏହା ହିଁ ଥିଲା ମୋ ଅଭିନୀତ ପ୍ରଥମ ସିନେମା ‘ଅଭିମାନ’ର ପ୍ରଥମ ସଟ୍‌। ପ୍ରଥମ ଟେକ୍‌ରେ ସଟ୍‌ ହୋଇଗଲା। କିନ୍ତୁ ନିର୍ଦ୍ଦେଶକ ସାଧୁ ମେହେର ମୋ ହାତରେ ଘଡ଼ି ରଖିବାକୁ ଚାହୁ ନଥିଲେ। କାରଣ ମୁଁ ଜଣେ ବେକାର ଯୁବକ। ତେଣୁ ଘଡ଼ି ଓହ୍ଲାଇବା ପରେ ରିଟେକ୍‌ ନିଆଗଲା। …ସୁଟିଂ ଲୋକେସନ୍ ଥିଲା ବାରିପଦା। ଘର ବାରିପଦାରେ ହୋଇଥିବାରୁ ସଭିଏଁ ଥିଲେ ପରିଚିତ। ପ୍ରଯୋଜକ ଗଣେଶ ଚନ୍ଦ୍ର ଜୀଉ, ସଙ୍ଗୀତ ନିର୍ଦେଶକ ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ ଓ କାହାଣୀକାର ଆନନ୍ଦ ଶଙ୍କର ଦାସ- ସମସ୍ତେ ମୋ ପାଇଁ ଚିହ୍ନାମୁହଁ ଥିଲେ। ପୁରା ୟୁନିଟ୍ ଗୋଟିଏ ପରିବାର ପରି ଲାଗୁଥିଲା ଏବଂ ଫିଲ୍ମ ସୁଟିଂ ଯେମିତି ଏକ ପାରିବାରିକ ପିକ୍‌ନିକ୍ ପରି ମନେହେଉଥିଲା। ତେଣୁ ଟିକିଏ ହେଲେ ବି ନର୍ଭସନେସ୍‌ ମୋ’ ଭିତରେ ନଥିଲା । କ୍ୟାମେରାମ୍ୟାନ୍ ଆସିଥିଲେ ବମ୍ବେରୁ। ତାଙ୍କ ନାଁ ଥିଲା ଶିବ ନାରାୟଣ ମିଶ୍ର। ସମ୍ବଲପୁର ଝିଅ ରୀତା ଚାନ୍ଦ ମୋ’ ସାଥିରେ ନାୟିକା ଭାବେ ଅଭିନୟ କରିଥିଲେ। ହିନ୍ଦୀରେ ‘ଶୋଲେ’ ଓ ‘ଦିୱାର୍‌’ ଭଳି ଓଡ଼ିଆରେ ଅନୁରୂପ ସଫଳତା ପାଇଥିଲା ‘ଅଭିମାନ’।’’ 

ଚଳଚ୍ଚିତ୍ରରୁ ଧାରାବାହିକ ଯାଏଁ…

୧୯୭୭ ମସିହାରେ ଉତ୍ତମ ‘ଅଭିମାନ’ ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୧୯୭୮ରେ ‘ପତିପତ୍ନୀ’, ୧୯୭୮ରେ ‘ଶଙ୍ଖମହୁରି’, ସରପଞ୍ଚ ବାବୁ, ୧୯୭୯ରେ ‘ଚିହ୍ନା ଅଚିହ୍ନା’, ‘ନିଝୁମ ରାତିର ସାଥୀ’,  ୧୯୮୦ରେ ‘ରାମାୟଣ’, ୧୯୮୨ରେ ‘ଫୁଲ ଚନ୍ଦନ’, ୧୯୮୩ରେ ‘ଝିଅଟି ସୀତା ପରି’, ୧୯୮୪ରେ ‘ଦଣ୍ଡା ବାଳୁଙ୍ଗା’, ୧୯୮୫ରେ ‘ସହରୀ ବାଘ’, ‘ସମୟ ବଡ଼ ବଳବାନ’, ‘ପୂଜାଫୁଲ’, ‘ସତ କେବେ ଲୁଚି ରହେନା’, ୧୯୮୬ରେ ‘ଜୋର୍ ଯା’ର ମୁଲକ ତାର’, ୧୯୮୮ରେ ‘ପାପପୂଣ୍ୟ’, ୧୯୮୯ରେ ‘ହସଲୁହ ଭରା ଦୁନିଆ’, ‘ଦଇବ ଦଉଡ଼ି’ ଓ ‘ରଜନୀଗନ୍ଧା’ ଆଦି ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।  ୮୦ ଓ ୯୦ଦଶକରେ ଉତ୍ତମ ହିଁ ଓଡ଼ିଆ ସିନେ ଜଗତର ବ୍ୟସ୍ତତମ ତାରକା ଥିଲେ।  ତାଙ୍କ ଅଭିନୀତ ପ୍ରତିଟି ଚଳଚ୍ଚିତ୍ର ଆଜି ବି ଘରେ ଘରେ ବେଶ୍ ପରିଚିତ। ସେହିପରି ୯୦ ଦଶକରେ ‘ଟୋପାଏ ସିନ୍ଦୁର ଦି ଟୋପା ଲୁହ’, ‘ଶାସ୍ତି’, ‘ଯା ଦେବୀ ସର୍ବ ଭୂତେଷୁ’, ‘ଗୋପରେ ବଢୁଛି କଳା କହ୍ନେଇ’, ‘ରାଜାରାଣୀ’, ‘କଣ୍ଢେଇ’, ‘ନୂଅା ଭାଉଜ’, ‘ବିଧିର ବିଧାନ’ ଆଦି ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।  ୧୯୯୧ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ନୟା ଜହର୍’ରେ ସେ ଅଭିନୟ କରିଥିଲେ। ଏହି ସମୟରେ ତାଙ୍କ ସୁପର୍‌ହିଟ୍ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ରୁପା ଗାଁର ସୁନା କନିଆ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ସହର ଜଳୁଛି’, ‘ମା ପରି କିଏ ହେବ’, ‘ସମୟ ଖେଳୁଛି ଚକା ଭଉଁରୀ’, ‘ଅଗ୍ନି ପରୀକ୍ଷା’, ‘ଏ ଯୁଗର କୃଷ୍ଣ ସୁଦାମା’, ‘ରୋମିଓ ଦ ଲଭର୍ ବଏ’ ଆଦି। ଜୀବନର ଶେଷ ଆଡ଼କୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଅଭିନୟରୁ ପ୍ରାୟତଃ ଦୂରେଇ ଯାଇଥିଲେ। ଅବଶ୍ୟ କିଛି ଫିଲ୍ମରେ ତାଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିଥିଲା। ୨୦୦୯ ମସିହାରେ ରିଲିଜ୍‌ ହୋଇଥିବା ‘ପାଗଳ କରିଛି ପାଉଁଜି ତୋର’କୁ ତାଙ୍କର ଶେଷ ଫିଲ୍ମ କୁହାଯାଇପାରେ।  ଏହା ବ୍ୟତୀତ ସେ ‘କଥା କହୁଥିଲେ ସରିବନି’, ‘ପଣତକାନି’, ‘ସାରା ଆକାଶ’ଓ ‘ଉତ୍ତରଦାୟୀ’ ଭଳି ବେଶ୍‌ କିଛି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ମୋଟ୍‌ ଉପରେ ଦେଖିଲେ, ଉତ୍ତମ ଓଡ଼ିଆ, ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମରେ ୪୫ ବର୍ଷରୁ ଊର୍ଧ୍ବ ସମୟ ଧରି ନିଜ ଅଭିନୟ ଦକ୍ଷତା ପ୍ରମାଣିତ କରିଥିଲେ। ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମର ସଂଖ୍ୟା ପ୍ରାୟ ୧୩୫। ଏହାସହିତ ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ଫିଲ୍ମରେ ମଧ୍ୟ ସେ ନିଜ ଅଭିନୟ ପରାକାଷ୍ଠା ଦେଖାଇଛନ୍ତି। ରୋମାଣ୍ଟିକ୍‌ ଅଭିନେତା ଭାବେ ତାଙ୍କର ପରିଚୟ ଥିଲେ ହେଁ ସେ କିଛି ଆକ୍ସନ୍‌ ଫିଲ୍ମରେ ମଧ୍ୟ ସଫଳ ହୋଇଥିଲେ। 

ସୁଟିଂ ସେଟ୍‌ରେ ପ୍ରଥମ ଦିନ 
୧୯୭୭ରେ ନିର୍ମିତ ‘ଅଭିମାନ’ ଥିଲା ଉତ୍ତମଙ୍କର ପ୍ରଥମ ଫିଲ୍ମ। ନିଜ ପ୍ରଥମ ସୁଟିଂ ସେଟ୍‌ର ଅନୁଭୂତି ବଖାଣି ସେ ଏକଦା ‘ସମ୍ବାଦ’କୁ କହିଥିଲେ….. 
‘‘ରବିବାର ସକାଳ। ଛାତ ଉପରେ ଠିଆ ହୋଇଥିବେ ବଡ଼ଭାଇ। ତଳ ଅଗଣାରେ ମୁଁ ଜଳଖିଆ ଖାଉଥିବି I ବଜାରକୁ ଯାଇ ମାଂସ ଆଣିବା ପାଇଁ ସେ ତାଗିଦ୍ କରିବେ। ଆଉ ଚିରାଚରିତ ଢଙ୍ଗରେ ମୁଁ ନଶୁଣିଲା ଭଳି ପଳାଇଯିବି। ଏହା ହିଁ ଥିଲା ମୋ ଅଭିନୀତ ପ୍ରଥମ ସିନେମା ‘ଅଭିମାନ’ର ପ୍ରଥମ ସଟ୍‌। ପ୍ରଥମ ଟେକ୍‌ରେ ସଟ୍‌ ହୋଇଗଲା। କିନ୍ତୁ ନିର୍ଦ୍ଦେଶକ ସାଧୁ ମେହେର ମୋ ହାତରେ ଘଡ଼ି ରଖିବାକୁ ଚାହୁ ନଥିଲେ। କାରଣ ମୁଁ ଜଣେ ବେକାର ଯୁବକ। ତେଣୁ ଘଡ଼ି ଓହ୍ଲାଇବା ପରେ ରିଟେକ୍‌ ନିଆଗଲା। …ସୁଟିଂ ଲୋକେସନ୍ ଥିଲା ବାରିପଦା। ଘର ବାରିପଦାରେ ହୋଇଥିବାରୁ ସଭିଏଁ ଥିଲେ ପରିଚିତ। ପ୍ରଯୋଜକ ଗଣେଶ ଚନ୍ଦ୍ର ଜୀଉ, ସଙ୍ଗୀତ ନିର୍ଦେଶକ ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ ଓ କାହାଣୀକାର ଆନନ୍ଦ ଶଙ୍କର ଦାସ- ସମସ୍ତେ ମୋ ପାଇଁ ଚିହ୍ନାମୁହଁ ଥିଲେ। ପୁରା ୟୁନିଟ୍ ଗୋଟିଏ ପରିବାର ପରି ଲାଗୁଥିଲା ଏବଂ ଫିଲ୍ମ ସୁଟିଂ ଯେମିତି ଏକ ପାରିବାରିକ ପିକ୍‌ନିକ୍ ପରି ମନେହେଉଥିଲା। ତେଣୁ ଟିକିଏ ହେଲେ ବି ନର୍ଭସନେସ୍‌ ମୋ’ ଭିତରେ ନଥିଲା । କ୍ୟାମେରାମ୍ୟାନ୍ ଆସିଥିଲେ ବମ୍ବେରୁ। ତାଙ୍କ ନାଁ ଥିଲା ଶିବ ନାରାୟଣ ମିଶ୍ର। ସମ୍ବଲପୁର ଝିଅ ରୀତା ଚାନ୍ଦ ମୋ’ ସାଥିରେ ନାୟିକା ଭାବେ ଅଭିନୟ କରିଥିଲେ। ହିନ୍ଦୀରେ ‘ଶୋଲେ’ ଓ ‘ଦିୱାର୍‌’ ଭଳି ଓଡ଼ିଆରେ ଅନୁରୂପ ସଫଳତା ପାଇଥିଲା ‘ଅଭିମାନ’।’’ 

ସିନେମାକୁ ‌ଆସିବାର ଯୋଜନା ନଥିଲା 
ଉତ୍ତମ ଏକଦା କହିଥିଲେ ଯେ ଫିଲ୍ମ ଅଭିନେତା ହେବାଲାଗି ତାଙ୍କର କୌଣସି ବିଧିବଦ୍ଧ ଯୋଜନା ନଥିଲା। କାରଣ ସେତେବେଳକୁ କାଁ ଭାଁ ବର୍ଷକୁ ଗୋଟିଏ କି ଯୋଡ଼ିଏ ସିନେମା ହେଉଥିଲା। ତେଣୁ ସିନେମାକୁ କ୍ୟାରିୟର୍ କରି ଜୀବନ ଜିଇଁବା ଲାଗି କିଏ ବା କାହିଁକି ସ୍ୱପ୍ନ ଦେଖନ୍ତା? ତେବେ କଲେଜ ଛୁଟିରେ ସେ ଘରକୁ ଆସିଥିବା ସମୟରେ ‘ଅଭିମାନ’ର ଅଫର୍ ମିଳିଲା। କଲେଜ ଛୁଟି ଥିବା ହେତୁ ମନା କରି ନଥିଲେ। କିନ୍ତୁ ସେଇଠୁ ଅଭିନେତା ଜୀବନ ଆରମ୍ଭ ହେଉ ହେଉ ତାହା ଦିନେ ଜୀବନ ପାଲଟିଗଲା। ତାଙ୍କ ନିଜ ଭାଷାରେ, ‘‘ଯଦି ପ୍ରଥମରୁ ଏ ଲାଇନ୍‌କୁ ଆସିବା ପାଇଁ ପ୍ରସ୍ତୁତ ଥା’ନ୍ତି, ତେବେ ଦ୍ବିତୀୟ ଫିଲ୍ମ ଦୁଇବର୍ଷ ପରେ କରିନଥା’ନ୍ତି।’’

ପୁରସ୍କାର
ଉତ୍ତମ ୪ଥର ଶ୍ରେଷ୍ଠ ଅଭିନେତା ଭାବେ ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’ ଓ ‘ସୁନା ଚଢ଼େଇ’ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ଶ୍ରେଷ୍ଠ ସହଯୋଗୀ ଅଭିନେତା ବର୍ଗରେ ‘ତୋ ବିନୁ ଅନ୍ୟ ଗତି ନାହିଁ’ ପାଇଁ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସେ ପାଇଥିଲେ। ୨୦୧୨ ମସିହାରେ ‘ଓଡ଼ିଶା ଲିଭିଂ ଲିଜେଣ୍ଡ ଆୱାର୍ଡ’, ୧୯୯୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ସମ୍ମାନ ‘ଜୟଦେବ ପୁରସ୍କାର’ ସମେତ ବହୁ ପୁରସ୍କାର ଓ ସମ୍ମାନର ସେ ଅଧିକାରୀ ହୋଇଥିଲେ।

ଟିକିଙ୍କୁ ରାଜି କରାଇବାକୁ ୫ ବର୍ଷ ଲାଗିଥିଲା
ଉତ୍ତମ-ଅପରାଜିତା (ଟିକି)ଙ୍କ ଯୋଡ଼ି ଓଡ଼ିଆ ସିନେଜଗତର ଅନ୍ୟତମ ଲୋକପ୍ରିୟ ଯୋଡ଼ି। ‘ଅଶାନ୍ତ ଗ୍ରହ’ ସିନେମାର ସୁଟିଂ ସେଟ୍‌ରେ ଅପରାଜିତାଙ୍କ ସହ ଉତ୍ତମଙ୍କର ପ୍ରଥମେ ଦେଖା ହୋଇଥିଲା।  ତା’ପରେ ପରେ ବେଶ୍‌ କିଛି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିବା ଭିତରେ ସେ ଅପରାଜିତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ତେବେ ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ବର୍ଷ ଲାଗିଥିଲା। ତେବେ ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରି ନଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଶେଷରେ ୧୯୮୭ ମସିହା ମେ’ ୧୭ରେ ଭୁବନେଶ୍ବରସ୍ଥିତ ମ୍ୟୁନିସିପାଲିଟି ଅତିଥି ଭବନରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।  ୧୯୮୯ରେ ଦୁହିଁଙ୍କର ପୁଅ ତଥା ବର୍ତ୍ତମାନର ସୁପର୍‌ଷ୍ଟାର୍‌ ବାବୁଶାନ୍‌ ଜନ୍ମ ହୋଇଥିଲେ।

ଅଧାରେ ଅଟକିଲା ‘ମମତାର ମନ୍ଦିର’
କୁଙ୍କୁମ୍ ମୁଭିଜ୍ ବ୍ୟାନର୍‌ରେ ୧୯୯୧ ମସିହାରେ ‘ମମତାର ମନ୍ଦିର’ ଶୀର୍ଷକରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହେଉଥିଲା।  ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ଶର୍ମା। ‘ମମତାର ମନ୍ଦିର’ରେ ମୁଖ୍ୟ ଭୂମିକାରେ ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ମହା‌ଶ୍ବେତା ରାୟ ଓ ଅଜିତ୍ ଦାସ  ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ‘ମମତାର ମନ୍ଦିର’ର ସୁଟିଂ ଶେଷ ହୋଇଥିଲେ ହେଁ ଏହାର ପୋଷ୍ଟ୍ ପ୍ରଡକ୍‌ସନ୍ କାର୍ଯ୍ୟ ସରି ନଥିଲା। ମଝିରେ ଏହାକୁ ‘ସୁନା ଭଉଣୀ’ ଶୀର୍ଷକରେ ରିଲିଜ୍ କରାଇବାର ଯୋଜନା ହୋଇଥିଲା। ମାତ୍ର ତାହା ହୋଇପାରି ନଥିଲା।

ନୂଆପିଢ଼ିଙ୍କ ପାଇଁ ବାଟ ଛାଡ଼ିଥିଲେ
ଉତ୍ତମ ମହାନ୍ତି କେବଳ ଜଣେ ଭଲ ଅଭିନେତା ନଥିଲେ, ନୂଆପିଢ଼ିଙ୍କୁ ସୁଯୋଗ ଦେବାରେ ଥିଲେ ମଧ୍ୟ ଜଣେ ହୃଦୟବାନ ଅଭିନେତା। ‘ଅଭିମାନ’ରୁ ‘ସକଳ ତୀର୍ଥ ତୋ ଚରଣେ’ ପର୍ଯ୍ୟନ୍ତ ଶତାଧିକ ଓଡ଼ିଆ ଫିଲ୍ମର ଅପ୍ରତିଦ୍ୱନ୍ଦୀ ନାୟକ ସେ ଅଭିନୟ କରିଥିଲେ। ସମୟକ୍ରମେ ରୋମାଣ୍ଟିକ୍‌ ନାୟକ, ଲଭର୍‌ ବୟ୍‌ କିମ୍ବା କଲେଜ ରୋମିଓ ଭୂମିକାରୁ ନିଜକୁ ଦୂରେଇ ଦେଇ ‘ସୁଭଦ୍ରା’ ଫିଲ୍ମରେ ସେ ଏକ ଚରିତ୍ର ଅଭିନେତା ଭାବରେ ଆତ୍ମପ୍ରକାଶ କରିଥିଲେ। ଏହାପରେ ବସନ୍ତ ନାୟକଙ୍କ ‘ଯଶୋଦା’ ଫିଲ୍ମରେ ବୟସ୍କ ଚରିତ୍ରରେ ଅଭିନୟ କରିଥିଲେ। ରୋମାଣ୍ଟିକ୍‌ ନାୟକ ଭାବେ ଉତ୍ତମଙ୍କୁ ଛାଡ଼ି ଫିଲ୍ମ କରିବା ନିର୍ଦ୍ଦେଶକ ଚିନ୍ତା କରୁପାରୁନଥିବା ବେଳେ ସେ ନିଜେ ନାୟକ ଭୂମିକାରୁ ଦୂରେଇ ଯାଇ ନୂଆପିଲାଙ୍କୁ ବାଟ ଛାଡ଼ିଥିଲେ।

ଜିଦ୍‌ରେ ଫେରିଥିଲେ 
ଉତ୍ତମ ନିଜ ଇଚ୍ଛାରେ ‘ଅଭିମାନ’ ପରେ  କିଛିଦିନ ଅଭିନୟରୁ ଦୂରେଇ ଯାଇଥିଲେ। କିନ୍ତୁ ପରେ ଜିଦ୍‌ରେ ପୁଣି ଫେରିଥିଲେ। ‘ଅଭିମାନ’ର ସୁଟିଂ ପରେ ସେ ପାଠପଢ଼ା ପାଇଁ କୋଲକାତା ଫେରି ଯାଇଥିଲେ। ସେଠାରେ ଥିବା ସମୟରେ  ନିର୍ଦ୍ଦେଶକ ଧୀର ବିଶ୍ୱାଳଙ୍କ ଫିଲ୍ମ ‘ଗୌରୀ’ ପାଇଁ ସେ ଅଫର୍ ପାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଫିଲ୍ମରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପ୍ରଶାନ୍ତ ନନ୍ଦଙ୍କୁ ନେବାଲାଗି ନିଷ୍ପତ୍ତି ନିଆ ଯାଇଥିଲା। ଏହା ଉତ୍ତମଙ୍କୁ ଭାରି ଖରାପ ଲାଗିଥିଲା। ତେଣୁ ସେ ଏକପ୍ରକାର ଜିଦ୍‌ରେ ଫିଲ୍ମ ଜଗତକୁ ଫେରିବା ଲାଗି ନିଶ୍ଚୟ କରିଥିଲେ।

ହୃଦୟବାନ ଉତ୍ତମ
‘ଦଣ୍ଡା ବାଳୁଙ୍ଗା’ ଫିଲ୍ମ ସୁଟିଂ ଚାଲିଥାଏ। ସୁଟିଂ ସେଟ୍‌ରେ ସମସ୍ତଙ୍କ ପାଇଁ ଖାଇବାକୁ ଦେବା ପରେ ଶେଷ ଦୁଇଜଣଙ୍କ ପାଇଁ ଖାଇବାକୁ ନଥିଲା। ହୃଦୟବାନ ଉତ୍ତମ ତାଙ୍କ ଖାଇବାକୁ ତିନିଭାଗ କରି ଦେଇଥିଲେ।  ଏହା ଗୋଟିଏ ଉଦାହରଣ ମାତ୍ର। ସେ ଅଭିନୟ କରିଥିବା ପ୍ରାୟ ପ୍ରତିଟି ଫିଲ୍ମର ସୁଟିଂ ସମୟରେ ସୁଟିଂ ସେଟ୍‌ରେ କାମ କରୁଥିବା ସ୍ପଟ୍‌ବୟ ଠାରୁ ଆରମ୍ଭ କରି ମେକ୍‌ଅପ୍‌ ଆର୍ଟିଷ୍ଟ ସମସ୍ତଙ୍କ ଦୁଃଖ ସମୟରେ ପାଖରେ ଛିଡ଼ା ହେଉଥିଲେ। ସମସ୍ତଙ୍କ ସୁଖଦୁଃଖ ବୁଝୁଥିଲେ। ଆଜି ଓଡ଼ିଆ ଫିଲ୍ମର ବଡ଼ ନିର୍ଦ୍ଦେଶକ ଭାବେ ନାମ କରିଥିବା ଅନେକ ନିର୍ଦ୍ଦେଶକ ଉତ୍ତମଙ୍କର ଶୀର୍ଷ ସମୟରେ ସହନିର୍ଦ୍ଦେଶକ ଭାବେ ଜୀବନ ଆରମ୍ଭ କରୁଥିଲେ। ସେହି ସମୟରେ ସମସ୍ତେ ତାଙ୍କଠାରୁ ସ୍ନେହ ଓ ଆଦର ପାଇଥିଲେ। ସେଥିପାଇଁ ଶେଷ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ କେବଳ ସମ୍ମାନ ଦେଖାଉନଥିଲେ, ଆନ୍ତରିକ ଭାବେ ଭଲ ମଧ୍ୟ ପାଉଥିଲେ।

Leave a Reply

Your email address will not be published. Required fields are marked *