ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସହରାଞ୍ଚଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି।
ସମୀକ୍ଷା ସମୟରେ ମନ୍ତ୍ରୀ ପାନୀୟ ଜଳର କୌଣସି ଅଭାବ ନହେବା, ଅକାର୍ଯ୍ୟକ୍ଷମ ନଳକୂପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା, ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିବା ଏବଂ ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।
ବିଭାଗର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଅନିୟମିତ ବର୍ଷା ଏବଂ ଅନିଶ୍ଚିତ ପାଗ ଢାଞ୍ଚା ଯୋଗୁ ଗ୍ରୀଷ୍ମଋତୁରେ ତାପମାତ୍ରା ଅସ୍ୱାଭାବିକ ବୃଦ୍ଧି ଘଟିଛି। ଏହା ସହିତ, ବଡ଼ କୋଠା, ପ୍ରଶସ୍ତ ରାସ୍ତା ଏବଂ ତାପ-ଶୋଷଣକାରୀ ଭିତ୍ତିଭୂମି ଯୋଗୁ ସହରାଞ୍ଚଳ ବାସିନ୍ଦାମାନେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି।
ପରିସ୍ଥିତିକୁ ବିଚାର କରି ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏକ ବିସ୍ତୃତ ମାନକ କାର୍ଯ୍ୟକାରିତା ପ୍ରକ୍ରିୟା (ଏସଓପି) ଜାରି କରିଛି ଏବଂ ଏହାର କଡ଼ା କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଦ୍ୱାରା ନିଆଯିବାକୁ ଥିବା ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।