ଟ୍ରେନ ଅପହରଣ : ବେଲୋଚ୍ ବିଦ୍ରୋହୀଙ୍କ ଆକ୍ରମଣରେ ୨୦ ପାକ ସୈନିକ ମୃତ
କ୍ବେଟା : ପାକିସ୍ତାନର କ୍ବେଟା ନିକଟରେ ହୋଇଥିବା ଟ୍ରେନ ଅପହରଣ ଓ ଶତାଧିକ ଲୋକଙ୍କୁ ମୁଣ୍ଡଜାମିନ ପରେ ପାକିସ୍ତାନ ସେନା ଅପରେସନ ଆରମ୍ଭ କରିଛି । ପାକିସ୍ତାନ ସେନା ପକ୍ଷରୁ ହେଲିକପ୍ଟର, ଡ୍ରୋନ ଓ କମାଣ୍ଡୋ ଅପରେସନ ମାଧ୍ୟମରେ ଏହି ଅପରେସନ କରାଯାଉଛି । ତେବେ ପାକିସ୍ତାନୀ ସେନା ଉପରେ ଜୋରଦାର ପ୍ରତି ଆକ୍ରମଣ କରିଛନ୍ତି ବେଲୋଚ ବିଦ୍ରୋହୀ । ବିଏଲଏ ବିଦ୍ରୋହୀମାନେ ରକେଟ ଲଞ୍ଚର ଓ ମୋର୍ଟାର ମାଧ୍ୟମରେ ସେନା ହେଲିକପ୍ଟର ଓ କମାଣ୍ଡୋମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ଏହା ଫଳରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ପାକ ସେନା ଯବାନ ନିହତ ହୋଇସାରିଲେଣି ପାକିସ୍ତାନୀ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଅପହରଣ କରିଥିବା ଆତଙ୍କବାଦୀମାନେ ଆଫଗାନିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସଂପର୍କରେ ଅଛନ୍ତି। ସେମାନେ ମହିଳା ଓ ଶିଶୁଙ୍କୁ ଢାଲ ଭାବେ ବ୍ୟବହାର କରୁଛନ୍ତି। ପାକିସ୍ତାନୀ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରି ରଖିଛନ୍ତି। ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗମ ସ୍ଥାନ ଯୋଗୁଁ ଏଠାରେ ଅପରେସନ୍ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ପୁଣି ମହିଳା ଓ ଶିଶୁମାନଙ୍କୁ ଆତଙ୍କବାଦୀମାନେ ଢାଲ ଭାବେ ବ୍ୟବହାର କରୁଥିବାରୁ ଅପରେସନ ସତର୍କତାର ସହ କରାଯାଉଛି।