ମୁଖ୍ୟ ଖବର

ସଙ୍ଗମସ୍ଥଳରେ ସାଇବେରିଆ ପକ୍ଷୀଙ୍କ ସମାଗମ: ମାର୍ଚ୍ଚ ଅଧାରେ ବି କମିନି ବିଦେଶୀ ପକ୍ଷୀଙ୍କ ଭିଡ…

ପ୍ରୟାଗରାଜ:  ମହାକୁମ୍ଭ ସରିଛି, ସଙ୍ଗମ ସ୍ଥଳକୁ ଶ୍ରଦ୍ଧାଳୁଙ୍କ ଭିଡ ବି କମିଛି । ହେଲେ ତ୍ରିବେଣୀ ସଙ୍ଗମରେ ଆଜି ବି କମିନି ପକ୍ଷୀଙ୍କ ଭିଡ । ଏବେବି ସଙ୍ଗମ ସ୍ଥଳରେ ବିଦେଶୀ ପକ୍ଷୀଙ୍କ ସମାଗମ ରହିଛି । ସଙ୍ଗମସ୍ଥଳ ଉପରେ ପକ୍ଷୀଙ୍କ କିଟିକିମିଚିରି ଶବ୍ଦ ପରିବେଶକୁ ଆହୁରି ସୁନ୍ଦର କରୁଛି । ସବୁଠାରୁ ବଡ କଥା ହେଉଥି ମହାକୁମ୍ଭ ସରିବାର ୧୫ ଦିନ ପରେ ବି ପକ୍ଷୀଙ୍କ ସଂଖ୍ୟା କମିନାହିଁ ଯାହା ଅନୁକୂଳ ପରିବେଶର ସଙ୍କେତ ଦେଉଛି ।

ସାଧାରଣତ ସାଇବେରିଆ ପକ୍ଷୀ ଏବଂ ଅନ୍ୟ ବିଦେଶାଗତ ପକ୍ଷୀଙ୍କ ସମାଗମ ଶୀତ ଦିନରେ ସଙ୍ଗମ ଘାଟରେ ରହିଥାଏ । ଡିସେମ୍ବରରୁ ଫେବୃୟାରୀ ଶେଷ ଯାଏଁ ଏହି ବିଦେଶୀ ପକ୍ଷୀ ମାନେ ଉଡି ଆସି ପ୍ରୟାଗରାଜର ସଙ୍ଗମସ୍ଥଳରେ ଭିଡ ଜମାନ୍ତି ଆଉ ମାର୍ଚ୍ଚ ଆରମ୍ଭରୁ ସେମାନେ ପୁଣି ବାହୁଡି ଯାଆନ୍ତି । ହେଲେ ଆଶ୍ଚର୍ୟ୍ୟର କଥା ହେଉଛି ଆଜି ମାର୍ଚ୍ଚ ୧୭ ତାରିଖ ହୋଇଥିଲେ ବି ସଙ୍ଗମସ୍ଥଳରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଯାହା ପକ୍ଷୀ ଗଣନାକାରୀ ଏବଂ ପକ୍ଷୀ ବୈଜ୍ଞାନିକଙ୍କୁ ଚକିତ କରିଛି ।

କୁହାଯାଉଛି ସଙ୍ଗମର ଜଳ ସ୍ବଚ୍ଛତା କାରଣରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ପକ୍ଷୀମାନେ ଏଯାଏଁ ରହିଛନ୍ତି । ଜଳ ଯଦି ଅସ୍ବଚ୍ଛ ଥାନ୍ତା ତାହାଲେ ବିଦେଶୀ ପକ୍ଷୀମାନେ କେବେଠୁ ଉଡି ଯାଆନ୍ତେଣି । ସଙ୍ଗମ ଜଳକୁ ମଝିରେ କିଛି ଲୋକ ଅସ୍ବଚ୍ଛ ଏବଂ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଥିବା ବେଳେ ଏହାର ସ୍ବଚ୍ଛତା ଏହି ବିଦେଶୀପକ୍ଷୀ ମାନେ ଦେଉଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି । 
ତେବେ ମହାକୁମ୍ଭ ପରେ ସଙ୍ଗମସ୍ଥଳକୁ ପରିଷ୍କାର ରଖିବା, ଜଳର ସ୍ବଚ୍ଛତା ସହ ଘାଟର ସଫେଇ ଉପରେ ବାରମ୍ବାର ଗୁରୁତ୍ବ ଦେବା କାରଣରୁ ସଙ୍ଗମ ଜଳ ସଫା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *