ଟନେଲ ଟ୍ରାଜେଡି: ୨୪ ଦିନ ପରେ ବି ଶ୍ରମିକଙ୍କ ପାଖରେ ପହଞ୍ଚିବା ହେଉନି ସମ୍ଭବ…
ହାଇଦ୍ରାବାଦ : ତେଲେଙ୍ଗାନାର ଶ୍ରୀସେଲମ ସୁଡଙ୍ଗ ଭୁଶୁଡିବା ଘଟଣା । ଟନେଲ ଟ୍ରାଜେଡିର ୨୪ ଦିନ ପରେ ବି ମିଳିପାରୁନି ଶ୍ରମିକଙ୍କ କୌଣସି ଖବର । ନିର୍ମାଣାଧୀନ ଏସଏଲବିସି ଟନେଲରେ ଫସି ରହିଥିବା ୮ ଜଣଙ୍କ ମଧ୍ୟରୁ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବାକି ୭ ଜଣଙ୍କ କୌଣସି ଖୋଜ୍ ଖବର ମିଳୁନି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏବେବି ପ୍ରୟାସ ଜାରି ରହିଛି ।
ସେପଟେ ମାଟି ଖୋଳିବାକୁ ରୋବର୍ଟର ସାହାଯ୍ୟ ନିଆଯାଇଛି । ହାଇଡ୍ରୋଲିକ ଦ୍ବାରା ଚାଳିତ ରୋବର୍ଟ ମାଧ୍ୟମରେ ମାଟି କାଟି ଆଗକୁ ଆଗକୁ ଯିବାକୁ ପ୍ରୟାସ ଜାରି ରହିଛି ଆଉ ଫସିଥିବା ୭ ଜଣଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।
ଗତ ଫେବ୍ରୁଆରୀ ୨୨ ତାରିଖରେ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୮ ଜଣ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି । ଇତି ମଧ୍ୟରେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯିବାର ଆଶା ରହିଛି । ଆଜିକୁ ୨୪ ଦିନ ହେବ ସୁଡଙ୍ଗରୁ କୌଣସି ଖବର ମିଳୁନଥିବାରୁ ଶ୍ରମିକଙ୍କ ଜୀବିତ ରହିବା ନେଇ ଆଶା କ୍ଷୀଣ । ତେଣୁ ଫଶିଥିବା ଶ୍ରମିକଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି ।